27.1 C
Bhubaneswar
Sunday, September 8, 2024
Homeଓଡିଶାଆଜି ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଖାଇ

ଆଜି ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଖାଇ

ଭୁବନେଶ୍ୱର: ଆଜି ନୂଆଖାଇ । ଗଣପର୍ବ ନେଇ ଚଳଞ୍ଚଳ ପଶ୍ଚିମ ଓଡ଼ିଶା । ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ନୂଆ ପିନ୍ଧି ନୂଆ ଖାଇବେ ପରସ୍ପରକୁ ଜୁହାର ଭେଟ ଜଣାଇବେ । ଏନେଇ ସରିଛି ସମସ୍ତ ପ୍ରସ୍ତୁତି । ଚାଷୀ ତା ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୨୭ ରୁ ୧୦ଟା ୪୨ ମଧ୍ୟରେ ମାଙ୍କ ନିକଟରେ ନବାନ୍ନ ଲାଗି ହେବ । ନୂଆଁଲାଗି ସାରିବା ପରେ ପରିବାର ସହ ଏକାଠି ନୂଆଁଖାଇବେ ପଶ୍ଚିମ ଓଡିଶାବାସୀ । ଏନେଇ ଘରେ ଘରେ ଆରମ୍ଭ ହୋଇଗଲାଣି ପିଠାପଣା ପ୍ରସ୍ତୁତି ।

ନୂଆଖାଇ ଏକ କୃଷିଭିତ୍ତିକ ପର୍ବ ଅଟେ । ସାଧାରଣତଃ ପଶ୍ଚିମ ଓଡ଼ିଶାର ଲୋକେ କୃଷି ଉପରେ ନିର୍ଭରଶୀଳ । ଧାନ ଅମଳ ଖୁସିରେ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲ ପଞ୍ଚମୀ ତିଥିରେ ଏହି ନୂଆଖାଇ ପର୍ବ ପାଳନ କରାଯାଏ । କୃଷିଜାତ ଅନ୍ନର ମହତ୍ତ୍ବ ନେଇ କାଇଁ କେଉଁ ଆବାହନ କାଳରୁ ଏହି କୃଷିଭିତ୍ତିକ ପର୍ବ ପାଳନ ହୋଇଆସୁଛି । ଏହି ଦିନ ଘରେ ଘରେ ଅକାଣ୍ତିଆ ଚାଉଳରେ କ୍ଷୀରି ପ୍ରସ୍ତୁତ କରାଯାଏ । ଏହି କ୍ଷୀରିକୁ ‘ନବାନ୍ନ’ ବୋଲି କୁହାଯାଏ । ଏହି କ୍ଷୀରି ବା ନବାନ୍ନକୁ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରି ସେହି ପ୍ରସାଦକୁ ନିଜ ଗ୍ରହଣ କରିବା ସହ ଅନ୍ୟମାନଙ୍କୁ ପକ୍ତିଂ ଭୋଜନ ଆକାରରେ ପ୍ରଦାନ କରିବାର ଧାରା ହେଉଛି ନୂଆଖାଇ ।

ରାଜ୍ୟର ଅବିଭକ୍ତ କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲା ସମେତ କୋରାପୁଟର କେତେକ ଅଂଚଳ ଓ ଛତିଶଗଡ଼ର ଦେଓଭୋଗ ସହ କିଛି ଅଞ୍ଚଳରେ ଏହି ନୂଆଖାଇ ପର୍ବକୁ ଧୂମଧାମରେ ପାଳନ କରାଯାଏ ।

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ। ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ। ଏନେଇ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା।

ପରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ରାଜ୍ୟରେ ଗୋଟିଏ ଦିନ ନୂଆଖାଇ ପାଳନ ସହ ସାରା ରାଜ୍ୟରେ ସରକାରୀ ଛୁଟି ଘୋଷଣା କରିଥିଲେ । ଏହାପରେ ସର୍ବସମ୍ମତି କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନକୁ ନୂଆଖାଇ ପାଳନ ନେଇ ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନ ନୂଆଖାଇ ପର୍ବ ପାଳନ କରାଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking