ମୟୂରଭଞ୍ଜ : ପବିତ୍ର ଜାଗର ତଥା ମହାଶିବରାତ୍ରି ପାଇଁ ମୟୂରଭଞ୍ଜ ଜିଲ୍ଲାର ପୁରପଲ୍ଲୀରେ ଥିବା ଶୈବପୀଠ ଗୁଡ଼ିକ ଉତ୍ସବ ମୁଖରିତ ହୋଇଛି । ସବୁଆଡ଼େ ଭକ୍ତିର ବାତାବରଣ ,ବ୍ରତ ରଖି ଉପବାସ କରୁଥିବା ଶ୍ରଦ୍ଧାଳୁ ଗୁରୁବାର ଏକବାର ପାଳନ କରି ଶିବରାତ୍ରି ପାଳନ କରୁଛନ୍ତି। ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବଡ଼ସାହି ବ୍ଲକର ମାଣତ୍ରୀ,ଶୁକୃଳି ବ୍ଳକର ଖିଚିଂ, କପ୍ତିପଦା ବ୍ଲକର ଝିଙ୍କେଶ୍ଵର, ବାଙ୍ଗିରିପୋଷିର ଶିମିଳେଶ୍ଵର ଓ ରାସଗୋବିନ୍ଦପୁର ବ୍ଲକର ଦେବଶୁଳର ଶିବ ମନ୍ଦିରରେ ଜାଗରମେଳା ଅନୁଷ୍ଠିତ ହେବା ସହିତ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏତଦ୍ ବ୍ୟତୀତ ଜିଲ୍ଲାର ସମସ୍ତ ସହର ଓ ଗ୍ରାମରେ ଥିବା ଶିବ ମନ୍ଦିରରେ ମଧ୍ୟ ଜାଗରରେ ସ୍ଵତନ୍ତ୍ର ଭାବରେ ପୂଜା ଓ ମେଳା ଲାଗିଥାଏ। ବାରିପଦା ସହରରେ ଥିବା ବୁଢାରାଉଳ ଓ ବାରୁଣେଶ୍ବର ଶିବମନ୍ଦିର ସହ ଅନ୍ୟ ମନ୍ଦିର ମାନଙ୍କରେ ଭିଡ ପରିଲକ୍ଷିତ ହୋଇଛି । ମହାଦୀପ ଉଠିବା ପାଇଁ ସମୟ ନିର୍ଘଣ୍ଟ ସରିଛି । ମନ୍ଦିର ତଥା ମେଳା କମିଟି, ପ୍ରଶାସନ ଓ ପୁଲିସ ସହାୟତାରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।