ପୁରୀ: ଶ୍ରୀଅଙ୍ଗ ସେବକ ଭାବେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ମନପ୍ରାଣ ଦେଇ ଲାଗି ପଡିଛନ୍ତି । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲେପନ ପରେ ଜ୍ୱର ପିଡାରୁ ଧିରେଧିରେ ଉପଶମ ପାଉଛନ୍ତି ମହାପ୍ରଭୁ । ସେପଟେ ଆଜି ହେଉଛି ଅଣସରର ୬ଷ୍ଠ ଦିବସ ଅର୍ଥାତ ଷଷ୍ଠୀତିଥି । ଷଷ୍ଠୀ ତିଥିରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବିଭିନ୍ନ ଔଷଧୀୟ ସାମଗ୍ରୀରେ ପ୍ରସ୍ତୁତ ଓସ୍ୱ । ଅଣସର ସୁଦ୍ଧ ସୂଆର ସେବକମାନେ ଝୁଣାକୁ ବାଟି ସେଥିରେ ତେଲ, କର୍ପୁର ଆଦି ସମ୍ମିଶ୍ରଣ କରି ଏକ ଔଷଧୀୟ ଓସ୍ୱ ପ୍ରସ୍ତୁତ କରିଥାନ୍ତି । ଏହି ଓସ୍ୱକୁ ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି । ଯାହା ଫଳରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଓସ୍ୱ ଲାଗି ସେବା ଷଷ୍ଠିଠାରୁ ଆରମ୍ଭ ହୋଇ ନବମୀ ତିଥି ପର୍ଯ୍ୟନ୍ତ ଚାରିଦିନ ଧରି ଚାଲିବ ।