34.1 C
Bhubaneswar
Friday, September 20, 2024
Homeଖେଳଆଜି ବିଶ୍ୱକପ୍ ପ୍ରଥମ ସେମିଫାଇନାଲ; ୨୦୧୯ର ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ ଭାରତ

ଆଜି ବିଶ୍ୱକପ୍ ପ୍ରଥମ ସେମିଫାଇନାଲ; ୨୦୧୯ର ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ ଭାରତ

ମୁମ୍ବାଇ: ୧୩ତମ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବହୁ ଆଲୋଚନା ଚାଲିଛି । ଭାରତ ବର୍ତ୍ତମାନ ସୁଦ୍ଧା ବିଶ୍ୱକପ୍‌ର ଚଳିତ ସଂସ୍କରଣରେ ଅପରାଜେୟ ରହିଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍‌ରେ ପରାଜିତ ହୋଇଥିବା ବେଳେ ୫ଟି ଜିତିଛି । ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଅନ୍ୟସେମି ଫାଇନାଲିଷ୍ଟଙ୍କ ଅପେକ୍ଷା ଦୁର୍ବଳ ପ୍ରଦର୍ଶନ କରିଥିଲେ ମଧ୍ୟ ବିଗତ ଦିନର କ୍ରିକେଟ୍ ଇତିହାସରେ ଭାରତ ବିପକ୍ଷରେ ଦଳର ପଲା ଭାରି । ଆଇସିସି ଦିନିକିଆ ବିଶ୍ୱକପ୍‌ରେ ଭାରତ କେବଳ ଚଳିତ ବର୍ଷ ବିଜୟୀ ହୋଇଥିବା ବେଳେ ପୂର୍ବରୁ ପରାଜୟ ବରଣ କରିଛି । ଏପରିକି ଇଂଲଣ୍ଡରେ ଖେଳାଯାଇଥିବା ୨୦୧୯ ବିଶ୍ୱକପ୍‌ର ସେମି ଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରି ତୃତୀୟ ବିଶ୍ୱକପ୍ ଦୌଡରୁ ବାଦ କରିଥିଲା । ଯାହାର ବଦ୍‌ଲା ଏବେ ରୋହିତ ର୍ଶମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନେବା ଲକ୍ଷ୍ୟରେ ଖେଳିବ । ୨୦୧୯ ବିଶ୍ୱକପ୍‌ର ସେମି ଫାଇନାଲ ମାଞ୍ଚେଷ୍ଟରରେ ଖେଳାଯାଇଥିବା ବେଳେ ୨୦୨୩ ବିଶ୍ୱକପ୍‌ର ସେମି ଫାଇନାଲ ମୁମ୍ବାଇର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯିବ । ବିଶ୍ୱକପ୍ ଇତିହାସରେ ଭାରତ ୪ଥର ସେମିଫାଇନାଲରେ ପ୍ରବେଶ କରି ତିନିଥର ବିଜୟୀ ହୋଇ ଫାଇନାଲ ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ ୬ଥର ସେମିରେ ପ୍ରବେଶ କରି ଗତ ଦୁଇ ସଂସ୍କରଣର ଫାଇନାଲ ଖେଳିଥିଲା । ଉଭୟଥର ରନର୍ସଅପ୍ ହୋଇଥିଲା । ଭାରତ ଶ୍ରେଷ୍ଠ ବ୍ୟାଟର ବିରାଟ କୋହଲି ବିଶ୍ୱକପ୍‌ର ୬ଟି ନକ୍‌ଆଉଟ୍ ମ୍ୟାଚ୍‌ରେ ମାତ୍ର ୧୨.୧୬ ହାରରେ ବ୍ୟାଟିଂ କରି ବିଫଳ ରହିଛନ୍ତି ।
ଭାରତ: ଚଳିତ ବିଶ୍ୱକପ୍‌ରେ ଭାରତ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଜରିଆରେ ମ୍ୟାଚ୍ ବିଜୟୀ ହୋଇଛି । ମ୍ୟାଚ୍ ଖେଳୁଥିବା ୧୧ ଜଣ ଯାକ ଖେଳାଳିଙ୍କ ମିଳିତ ପ୍ରଦର୍ଶନ ଏବେ ଟିମ୍ ଇଣ୍ଡିଆକୁ ଶ୍ରେଷ୍ଠ ସ୍ଥାନରେ ରଖିଛି । ବ୍ୟାଟିଂରେ ଅଧିନାୟକ ଓପନର ରୋହିତ ଶର୍ମା ୫୦୩ ରନ୍ କରିଥିବା ବେଳେ ଶୁବମାନ୍ ଗିଲ ୨୭୦ ରନ୍ , ବିରାଟ କୋହଲି ୫୯୪, ଶ୍ରେୟସ୍ ଆୟର ୪୨୧, ଲୋକେଶ ରାହୁଲ ୩୪୭ ରନ୍‌, ସୂର୍ଯ୍ୟକୁମାର ଯାଦବ ୮୭, ରବୀନ୍ଦ୍ର ଜାଡେଜା ୧୧୧ ରନ୍ ଓ ୧୬ ୱିକେଟ୍‌, କୁଲଦୀପ ଯାଦବ ୧୪ ୱିକେଟ୍ , ଜଶପ୍ରୀତ୍ ବୁମରା ୧୭ ୱିକେଟ୍‌, ମହମ୍ମଦ ଶମି ୧୬ ୱିକେଟ୍‌, ମହମ୍ମଦ ସିରାଜ ୧୨ ୱିକେଟ୍ ନେଇଛନ୍ତି । ଯାହାକୁ ଲକ୍ଷ୍ୟ କଲେ ଭାରତର ବୋଲିଂ ଓ ବ୍ୟାଟିଂ ଲାଇନ୍ ଶ୍ରେଷ୍ଠ ଫର୍ମରେ ରହିଛି । ଯେଉଁଥିପାଇଁ ପୂର୍ବରୁ ଗି ୫ଟି ମ୍ୟାଚ୍ ଖେଳିଥିବା ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣିଥରେ ଅପରିବର୍ତ୍ତିତ ରହିବ ।
ଭାରତର ବୋଲିଂ: ଚଳିତ ବିଶ୍ୱକପ୍‌ରେ ଭାରତର ବୋଲିଂ ଲାଇନ୍ ଶ୍ରେଷ୍ଠ ରହିଛି । ବିଶ୍ୱକପରେ ସମସ୍ତ ଦଳ ମଧ୍ୟରେ ଭାରତ ଏବେ ସର୍ବାଧିକ ୮୫ଟି ୱିକେଟ୍ ହାସଲ କରିଥିବା ବେଳେ ଦଳର ଶ୍ରେଷ୍ଠ ଇକୋନୋମି ରେଟ୍ ୪.୫, ଶ୍ରେଷ୍ଠ ଆଭରେଜ୍ ୧୯.୬ ଓ ଶ୍ରେଷ୍ଠ ଷ୍ଟ୍ରାଇକ୍ ରେଟ୍ ୨୬.୨ ରହିଛି । ଭାରତର ବୋଲିଂ ଲାଇନ୍‌ର ନେତୃତ୍ୱ ନେଉଥିବା ଯଶପ୍ରୀତ୍ ବୁମ୍ରା ଏବେ ଚମତ୍କାର ଫର୍ମରେ ରହିଛନ୍ତି । ପ୍ରଥମ ଦଶ ଓଭରରେ ତାଙ୍କର ପ୍ରାୟ ୮୦% ଡେଲିଭରି (୨୨୮ରୁ ୧୭୫) ଡଟ୍ ରହିଛି । ସେ ସବୁବେଳେ ମିଡିଲ ଅର୍ଡରରେ ପ୍ରତ୍ୟାବର୍ତ୍ତନ କରି ୱିକେଟ୍ ନେଉଛନ୍ତି ।
ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡ ସେମିଫାଇନାଲରେ ୮ଜଣ ବ୍ୟାଟରଙ୍କୁ ନେଇ ଖେଳିବ । ଅଲ୍‌ରାଉଣ୍ଡର ମିଚେଲ ସାଣ୍ଟନର ୮ ନମ୍ବର ସ୍ଥାନରେ ଖେଳିବେ । ଦଳରେ କେବଳ ଚାରି ଜଣ ଆଗଧାଡ଼ିର ବୋଲର ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ୍‌, ଟିମ୍ ସାଉଦି ଓ ସାଣ୍ଟନର ରହିବେ । ଫଳରେ ଭାରତ ବିପକ୍ଷରେ ପଞ୍ଚମ ବୋଲରର ଦାୟିତ୍ୱ ରଚିନ ରବୀନ୍ଦ୍ର ଓ ଗ୍ଲେନ୍ ଫିଲିପ୍ସ ମିଳିତ ଭାବେ ନେବେ । ଏହି ଦୁଇ ଖେଳାଳି ପୂର୍ବରୁ ୧୧ ଓଭର ବୋଲିଂ କରି ୫୮ ରନ୍ ବ୍ୟୟ କରିଥିଲେ । ଯାହାକୁ ଲକ୍ଷ୍ୟକଲେ ୱାଙ୍ଖଡେ ଷ୍ଟାଡିୟମରେ ସ୍ପିନ୍‌ର ପ୍ରଭାବ କମ୍ ରହିବାର ଆଶା ଥିବାରୁ ଭାରତ ଏହି ୧୦ ଓଭରରେ ନ୍ୟୁଜିଲାଣ୍ଡ ଉପରେ ଚାପ ବଢ଼ାଇବାକୁ ଚାହିଁବ ।
ଭାରତ-ନ୍ୟୁଜିଲାଣ୍ଡ ହେଡ୍ ଟୁ ହେଡ୍‌
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୧୧୭ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି । ଏହା ମଧ୍ୟରୁ ଭାରତ ୫୯ଟି ମ୍ୟାଚ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୫୦ଟି ଦିନିକିଆ ମ୍ୟାଚ୍ ଜିତିଛି । ଗୋଟିଏ ଦିନିକିଆ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ ସାତଟି ମ୍ୟାଚର ଫଳାଫଳ ବାହାରି ପାରିନଥିଲା । ଏହାବ୍ୟତୀତ ଭାରତ ୨୪ ଥର ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଥିବା ବେଳେ ୩୫ ଥର ଚେଜ୍ କରି ଏହି ସଫଳତା ପାଇଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୨୮ ଥର ଚେଜ୍ କରିଥିବା ବେଳେ ୨୨ ଥର ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଛି ।
ଦିନିକିଆ ବିଶ୍ୱକପ୍ ଇତିହାସରେ ଏହି ଦୁଇ ଦଳ ମଧ୍ୟରେ ନ୍ୟୁଜିଲାଣ୍ଡର ପଲା ଟିକେ ଭାରି । ଉଭୟଙ୍କ ମଧ୍ୟରେ ୯ ମୁକାବିଲା ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ନିଜ ନାମରେ ୪ଟି ମ୍ୟାଚ୍ କରିଛି । ୨୦୨୩ ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରେ ଭାରତ ୪ ୱିକେଟ୍‌ରେ କିୱି ଦଳକୁ ପରାସ୍ତ କରିଥିଲା । ୱାଙ୍ଖଡେ ଷ୍ଟାଡିୟମରେ ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ଷ୍ଟାଡ଼ିୟମରେ ଉଭୟ ଦଳ ମଧ୍ୟରେ ୨୦୧୭ରେ ଏକ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ୨୮୧ ରନ୍‌ର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ଅତିକ୍ରମ କରିଥିଲା ।
୨୦୧୯ ସେମିଫାଇନାଲ୍‌
ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ର ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ସେମି ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୮ ରନରେ ଭାରତକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା । ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ୨୪୦ ରନ୍‌ର ଟାର୍ଗେଟ୍ ପିଛା କରି ଭାରତ ୪୯.୩ ଓଭରରେ ୨୨୧ ରନ୍ କରି ଅଲ୍ ଆଉଟ୍ ହୋଇଥିଲା । ଭାରତ ୯୭ ରନ୍‌ରେ ୬ଟି ୱିକେଟ୍ ହରାଇ୍‌ଥିଲେ ମଧ୍ୟ ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂ ଧୋନିଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ପାଇଁ ଭାରତ ୨୦୮ ରନ୍‌ରେ ସପ୍ତମ ୱିକେଟ୍ ଭାବେ ଜାଡେଜାଙ୍କୁ (୭୭) ହରାଇଥିଲା । ଏହାର ୮ ରନ୍ ବ୍ୟବଧାନରେ ଧୋନି (୫୦) ରନ୍ ଆଉଟ୍ ହୋଇ ଭାରତର ପରାଜୟ ନିଶ୍ଚିତ କରିଥିଲେ । ଏହି ରନ୍‌ଆଉଟ୍ ଏବେ ବି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନଯେର ରହିଛି । ଭାରତର ଟପ୍ ଅର୍ଡର ବ୍ୟାଟିଂ ଲାଇନ୍‌କୁ ଧ୍ୱଂସ କରି ରୋହିତ ଶର୍ମା, ଲୋକେଶ ରାହୁଲ ଓ ଦିନେଶ କାର୍ତ୍ତିକଙ୍କ ୱିକେଟ୍ ନେଇଥିବା ମ୍ୟାଟ୍ ହେନରୀ ଏବେ ବିଶ୍ୱକପ୍‌ରୁ ବାଦ୍ ପଡ଼ିଛନ୍ତି । ତେବେ ଟ୍ରେଣ୍ଟ ବୋଲ୍ଟ ଓ ମିଚେଲ ସାଣ୍ଟନର ଏବେ ବି ଦଳରେ ରହିଛନ୍ତି । ସାଣ୍ଟନର ଭାରତ ପାଇଁ ଏକ ବଡ ବିପଦ ବୋଲି ପୂର୍ବରୁ ଅନେକଥର ପ୍ରମାଣିତ ହୋଇଛନ୍ତି । ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ବ୍ୟାଟରଙ୍କୁ ସେ ସହଜରେ ଆଉଟ୍ କରିବାର ରେକର୍ଡ ନିଜ ନାମରେ ରଖିଛନ୍ତି । ଯାହା ଏବେ ବି ଭାରତ ପାଇଁ ଚିନ୍ତାର ବିଷୟ ରହିଛି ।
ପିଚ୍‌: ୱାଙ୍ଖଡେ ଷ୍ଟାଡିୟମକୁ ଲକ୍ଷ୍ୟ କଲେ ଜଣାଯାଏ ଏହାର ପିଚର ବାଉନ୍ସିକୁ ଗୁରତ୍ୱ ଦେଉଛି । ବଲ୍ ସୁଇଂ ଏଠାରେ ସମସ୍ତକୁ ଚକିତ କରିଛି । ଚଳିତ ବିଶ୍ୱକପରେ ଏଠାରେ ଖେଳାଯାଇଥିବା ଏକମାତ୍ର ମ୍ୟାଚକୁ ବାଦ୍ ଦେଲେ ଅନ୍ୟ ସବୁ ମ୍ୟାଚରେ ପ୍ରଥମ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଏଠାରେ ପ୍ରଥମ ଇନିଂସ୍‌ର ହାରାହାରି ସ୍କୋର ୩୫୭ ରହିଛି । ଯାହାକୁ ଲକ୍ଷ୍ୟ କଲେ ପ୍ରଥମେ ବ୍ୟାଟିଂ କରିବା ଦଳର ମ୍ୟାଚ୍ ଉପରେ ଅଧିକ ନିୟନ୍ତ୍ରଣ ରହିବ । ସୂର୍ଯ୍ୟାସ୍ତ ପରେ ମୁମ୍ବାଇରେ ନୂଆ ବଲ୍ ନାଟକୀୟ ଢଙ୍ଗରେ ଗତି କରିବାର ପ୍ରମାଣ ମିଳି ସାରିଛି । ମୁମ୍ବାଇରେ କାକର ପଡୁଥିବାରୁ ସ୍ୱିଙ୍ଗ ଦ୍ରୁତ ବୋଲରଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking