ମାଞ୍ଚେଷ୍ଟର: ଚଳିତ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ରେ ଉଭୟ ଦଳ ବିଜୟୀ ହେବା ଫଳରେ ସିରିଜ୍ ବରାବର ସ୍ଥିତିରେ ରହିଛି । ପ୍ରଥମ ମ୍ୟାଚ୍ରେ ଭାରତ ବୃହତ୍ ୧୦ ୱିକେଟ୍ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍କୁ ୧୦୦ ରନ୍ରେ ଜିତି ଇଂଲଣ୍ଡ କମ୍ବ୍ୟାକ୍ କରିଛି । ଉଭୟ ଦଳ ମଧ୍ୟରେ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରବିବାର ଏଠାରେ ଖେଳାଯିବାକୁ ଥିବା ବେଳେ ଏହି ନିର୍ଣ୍ଣାୟକ ମୁକାବିଲାକୁ ଜିତି ସିରିଜ୍ ହାତେଇବା ସକାଶେ ଉଭୟ ପକ୍ଷ ଉଦ୍ୟମ କରିବେ । ଏହି ମ୍ୟାଚ୍ରେ ଭାରତ ତା’ର ବ୍ୟାଟିଂ ନେଇ ରହିଥିବା ଆଭିମୁଖ୍ୟରେ ପରିବର୍ତ୍ତନ କଲେ ହିଁ ବିଜୟୀ ହେବାର ଅଧିକ ସମ୍ଭାବନା ରହିବ । କାରଣ ଦଳ ଗତ ଟି-୨୦ ସିରିଜ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ବଳରେ ହିଁ ଜିତିପାରିଛି । ଅନ୍ୟପକ୍ଷରେ ଦ୍ୱିତୀୟ ଦିନିକିଆରେ ବେଶ୍ ସତର୍କତା ପୂର୍ବକ ବ୍ୟାଟିଂ କରିବା ଫଳରେ ଦଳକୁ ୧୪୬ ରନ୍ରେ ସୀମିତ ରହିବାକୁ ପଡ଼ିଛି । ଅଧିନାୟକ ରୋହିତ ଶର୍ମା ଓ ଶିଖର ଧୱନ୍ ଅପେକ୍ଷାକୃତ ରକ୍ଷଣାତ୍ମକ ଶୈଳୀ ଆପଣାଇଥିଲେ । ଅଧିକନ୍ତୁ ବିରାଟ କୋହଲିଙ୍କ କ୍ରମାଗତ ବିଫଳତା ସ୍ଥିତିକୁ ଆହୁରି ଜରାଜୀର୍ଣ୍ଣ କରିପକାଇଥିଲା ।
ତେଣୁ ନିର୍ଣ୍ଣାୟକ ଦିନିକିଆରେ ବିଜୟୀ ହେବାକୁ ହେଲେ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ୍ମାନଙ୍କୁ ଅନେକ କିଛି କରିବାକୁ ପଡ଼ିବ । ଏଠାକାର ପିଚ୍ ମଧ୍ୟ ସେମାନଙ୍କ ପାଇଁ ଚାଲେଞ୍ଜ୍ ସୃଷ୍ଟି କରିବ । ଗତ ୨୦୧୯ ବିଶ୍ୱକପ୍ ସେମିଫାଇନାଲ୍ରେ କିପରି ଭାରତୀୟ ବ୍ୟାଟିଂ ଲାଇନର ଶୀର୍ଷକ୍ରମ ଧରାଶାୟୀ ହୋଇଥିଲା, ତାହାକୁ କୌଣସି ଭାରତୀୟ ପ୍ରଶଂସକ ଭୁଲିନଥିବେ । ସେହିପରି ଭାରତୀୟ ବୋଲିଂ ଲାଇନ୍ଅପ୍ରେ ଜସପ୍ରୀତ୍ ବୁମରା, ମହମ୍ମଦ ଶମି, ପ୍ରସିଦ୍ଧ କ୍ରିଷ୍ଣା ଓ ୟୁଜବେନ୍ଦ୍ର ଚହଲ୍ ଇଂଲିଶ୍ ବ୍ୟାଟ୍ସମ୍ୟାନ୍ଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି । କିନ୍ତୁ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ସ୍ପିନର୍ ରବୀନ୍ଦ୍ର ଜାଡେଜା ଚିନ୍ତାର କାରଣ ପାଲଟିଛନ୍ତି ।
ଚୂଡ଼ାନ୍ତ ଏକାଦଶରେ ତାଙ୍କୁ ମୁଖ୍ୟତଃ ପଞ୍ଚମ ବୋଲର୍ ଭାବେ ବ୍ୟବହାର କରାଯାଇଆସୁଥିଲେ ହେଁ ନିକଟ ଅତୀତରେ ସେ ତାଙ୍କ ଲୟ ହରାଇଥିବା ପରି ପ୍ରତୀୟମାନ ହୋଇଆସିଛି । ଆଗାମୀ ଦିନିକିଆ ବିଶ୍ୱକପ୍କୁ ୧୫ ମାସ ପାଖାପାଖି ସମୟ ବାକିଥିବାରୁ ଏବେଠାରୁ ଜାଡେଜାଙ୍କୁ ପୁଣିଥରେ ତାଙ୍କ ଲୟକୁ ଫେରିବାକୁ ପଡ଼ିବ । ନଚେତ୍ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ ତାଙ୍କ ବିକଳ୍ପ ଖୋଜିବା କିଛି ଅସମ୍ଭବ ନୁହେଁ । ଅନ୍ୟପକ୍ଷରେ ପ୍ରଥମ ଦୁଇଟି ଦିନିକିଆରେ ଇଂଲଣ୍ଡର ତାରକାଖଚିତ ବ୍ୟାଟିଂ ଲାଇନ୍ଅପ୍ ସମ୍ପୂର୍ଣ୍ଣ ଭାବେ ବିଫଳ ରହିଛି । ଜେସନ୍ ରୟ, ଜନ୍ନି ବେୟାର୍ଷ୍ଟୋ, ଜୋସ୍ ବଟଲର୍, ବେନ୍ ଷ୍ଟୋକ୍ସ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ ନିଜ ନିଜ ଦକ୍ଷତା ମୁତାବକ ପ୍ରଦର୍ଶନ ଦେଇପାରିନାହାନ୍ତି । ପ୍ରଥମ ଦିନିକିଆରେ ବୁମରାଙ୍କ ଘାତକ ବୋଲିଂ ଇଂଲିଶ୍ ବ୍ୟାଟିଂ ଲାଇନ୍କୁ ଧ୍ୱସ୍ତବିଧ୍ୱସ୍ତ କରିପକାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଅଧିକାଂଶ ସେମାନଙ୍କ ଷ୍ଟାର୍ଟକୁ ବଡ଼ ସ୍କୋର୍ରେ ପରିବର୍ତ୍ତିତ କରିବାରେ ବିଫଳ ହୋଇଥିଲେ । ଅବଶ୍ୟ ସେମାନଙ୍କ ଦୁର୍ବଳ ପ୍ରଦର୍ଶନ ତୃତୀୟ ଦିନିକିଆରେ କାଏମ ରହିଲେ, ଭାରତ ପାଇଁ ସିରିଜ୍ ଜିତିବା ସହଜ ହେବ । କିନ୍ତୁ ଏଥିପାଇଁ ଯେ ଭାରତୀୟ ବୋଲରଙ୍କୁ ପ୍ରଥମ ଦିନିକିଆ ପରି ପ୍ରଦର୍ଶନ ଦେବାକୁ ପଡ଼ିବ, ଏହା କହିବା ବାହୁଲ୍ୟ ମାତ୍ର ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍ (ୱିକେଟ୍କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶମି, ଜସପ୍ରୀତ୍ ବୁମ୍ରା, ୟୁଜବେନ୍ଦ୍ର ଚହଲ୍ ଓ ପ୍ରସିଦ୍ଧ କ୍ରିଷ୍ଣା/ଶାର୍ଦ୍ଦୁଲ୍ ଠାକୁର ।
ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ଜେସନ୍ ରୟ, ଜନ୍ନି ବେୟାର୍ଷ୍ଟୋ, ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍ (ଅଧିନାୟକ/ୱିକେଟ୍କିପର୍), ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଇନ୍ ଅଲୀ, ଡେଭିଡ୍ ୱିଲି, କ୍ରେଗ୍ ଓଭର୍ଟନ୍, ବ୍ରାଇଡନ୍ କାର୍ସ ଓ ରିସ୍ ଟପ୍ଲୀ ।