ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ, ବେତାଜ ବାଦଶାହା। ଓଡ଼ିଆ ମାଟିର କଥା, ଗୀତ ଓ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ । ଷାଠିଏ ସତୁରୀ ଦଶକରେ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତି। କୋଟିକୋଟି ଓଡ଼ିଆଙ୍କର ସେ ମଉଡମଣି। ସମସ୍ତଙ୍କ ପ୍ରିୟ ଅକ୍ଷୟ ମହାନ୍ତି, ଆଦରର ‘ଖୋକା ଭାଇ’ । ଆଜି ସେହି ଖୋକା ଭାଇଙ୍କର ଜନ୍ମ ଜୟନ୍ତୀ।
ଏକାଧାରାରେ ଗାୟକ, ଗୀତିକାର, ସଂଙ୍ଗୀତ ନିର୍ଦ୍ଦେଶକ ଓ ସାହିତ୍ୟିକ। ଓଡ଼ିଆ ସଙ୍ଗୀତରେ ତାଙ୍କର ବିରଳ ଭାବଭଙ୍ଗୀ ଓ ପ୍ରୟୋଗ ଏକ ବିରଳ ଦୃଷ୍ଟାନ୍ତ। ସଂଗୀତ ଶିକ୍ଷା ନନେଇ ସେ ସେ ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ । ସାଇକେଲରେ ବୁଲିବୁଲି ଗୀତ ଗାଉଥିଲେ । ଯେଉଁଠି ବସୁଥିଲେ ଗାଉଥିଲେ । ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି, ୭୫ଟି ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହା ସାଙ୍ଗକୁ ସେ ତିନୋଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଓ ଗୋଟିଏ ଚଳଚ୍ଚିତ୍ରର ଯୁଗ୍ମ ନିର୍ଦେଶକ ରହିଛନ୍ତି ।
ଆଜି ବି ରେଡିଓରୁ ‘ପୁଣ୍ୟର ନଦୀ ତୀରେ’ ଗୀତ ଶୁଣିଲେ କାନ ଆପେ ଆପେ ଟାଣି ହୋଇ ଯାଏ। ଗୀତରେ ଗୀତରେ ଶ୍ରୋତାଙ୍କ ମନରେ ସେ ସେଦିନ ଯେମିତି ଥିଲେ ଆଜି ବି ସେମିତି ଅଛନ୍ତି। ସେ ଅକ୍ଷୟ ମହାନ୍ତି ! ସେ ଖାଲି ଏକ ନାଁ ନୁହେଁ, ସେ ଗୋଟେ ଆକର୍ଷଣ। ସେ ଗୋଟେ ଆବେଗ। ସେ ଏକ ସ୍ୱାଭିମାନ। ସେ ମନେ ପଡିଲେ ଆଜି ବି ଓଡ଼ିଆ ସଙ୍ଗୀତପ୍ରେମୀଙ୍କ କଣ୍ଠରୁ ଗୁଣୁଗୁଣୁ ହୋଇ ଝରିଆସେ ‘ଯାରେ, ଭାସି ଭାସି ଯା’ଟ୍ଟ ଯା..ଯାବର, ହେ ଫଗୁଣ ତୁମେ ଗଲା ପରେ ପରେ, ପୁଣ୍ୟର ନଦୀ ତିରେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ବୟସର କୃଷ୍ଣଚୂଡା, ନଦୀର ନାମ ଅଳସ କନ୍ୟା ଟ୍ଟଆଦି ଅନେକ ମନଛୁଆଁ ଗୀତର ସେ ହେଉଛନ୍ତି ସ୍ରଷ୍ଠା । ତାଙ୍କ ଗୀତରେ ଥିଲା ଓଡ଼ିଶାର ଚାଲିଚଳଣୀ, ବେଶଭୂଷା, ରାଗରୁଷା। ସ୍ୱାମୀ-ସ୍ତ୍ରୀ ଝଗଡାକୁ ବି ସେ ମଧୁର କରି ଦେଉଥିଲେ., ପ୍ରେମରେ ପ୍ରତାରଣାକୁ ବି ସେ ସହଜ କରି ଦେଉଥିଲେ। ତାଙ୍କ ଗୀତରେ ପ୍ରେମ ଥିଲା ଯେତିକି ମଧୁର, ପ୍ରତାରଣା ବି ସେତିକି ହୃଦୟଛୁଆ। ସଙ୍ଗୀତ ଜଗତର ସେଇ ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ଜନ୍ମବାର୍ଷିକୀରେ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି।
୧୯୩୬ ମସିହା ଅକ୍ଟୋବର ୧୨ ତାରିଖରେ ଅକ୍ଷୟ ମହାନ୍ତିଙ୍କର ଜନ୍ମ । ଆକାଶ ବାଣୀ କଟକ କେନ୍ଦ୍ରରୁ ୧୯୬୩ ମସିହାରେ ଜଣେ ଗୀତିକାର ଭାବେ ଅକ୍ଷୟ ମହାନ୍ତିଙ୍କୁ ସ୍ବୀକୃତି ମିଳିଥିଲା। ଓଡିଆ ସିନେମା ଜଗତରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା, ‘ ମଲାଜହ୍ନ’ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ୨୦୦୨ ମସିହା, ନଭେମ୍ବର ୧୭ ତାରିଖରେ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ପରଲୋକ ହୋଇଥିଲା। ସଙ୍ଗୀତ ସଂଯୋଜନା ହେଉ କି, ଗୀତ ରଚନା ଅବା କଣ୍ଠଦାନ ସବୁଥିରେ ଥିଲେ ସେ ପ୍ରବୀଣ। ଅକ୍ଷୟ ମହାନ୍ତି ଓଡିଆ ସଙ୍ଗୀତକୁ ନୂଆ ପରିଚୟ ପ୍ରଦାନ କରିଥିଲେ । ସ୍ରୋତାଙ୍କ ରୁଚିକୁ ବୁଝି ଅନେକ ମନଛୁଁଆ ଗୀତ ଭେଟି ଦେଇଥିଲେ। ଆଜି ବି ପ୍ରତିଟି ଓଡ଼ିଆଙ୍କ ମନରେ ରହିଛି ଖୋକା ଭାଇଙ୍କ ଗୀତ। ତାଙ୍କ ଗୀତର ଫଗୁଣ କେବେ ସରିନି କି କୃଷ୍ଣଚୂଡ଼ା କେବେ ରଙ୍ଗ ହରାଇନି। ଅକ୍ଷୟଙ୍କୁ ନେଇ ଅମର ହୋଇଯାଇଛି ଓଡିଆ ସିନେମାର ଅନେକ ଗୀତ। ସଂଗୀତର ବିଭିନ୍ନ ବିଭାଗରେ ସେ ଛାଡିଥିଲେ ନିଜର ଭିନ୍ନଭିନ୍ନ ବିଭବ।