କୋଲ୍କାତା : ଶିକ୍ଷକ ନିଯୁକ୍ତି ଘୋଟାଲାରେ ଜେରା ପାଇଁ ଇଡି ଓ ସିବିଆଇକୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତା ଅଭିଷେକ ବାନାର୍ଜୀଙ୍କ ପିଟିସନ୍ କଲିକତା ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହା ସହିତ କୋର୍ଟ ତାଙ୍କ ଉପରେ ୨୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି । ଜଷ୍ଟିସ୍ ଅମୃତା ସିଂହ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି । ଏହି ମାମଲାରେ ଘୋଟାଲାର ଅଭ୍ୟତମ ଅଭିଯୁକ୍ତ କୁନ୍ତଳ ଘୋଷ ମଧ୍ୟ ଆବେଦନକାରୀ ଥିଲେ ।
କୋର୍ଟ ତାଙ୍କୁ ମଧ୍ୟ ୨୫ ଲକ୍ଷ ଟଙ୍କାର ଜୋରିମାନା କରିଛନ୍ତି । ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାର ତଦନ୍ତ କରୁଥିବା ଇଡି ଓ ସିବିଆଇ ଆବଶ୍ୟକ ପଡ଼ିଲେ ଅଭିଷେକଙ୍କୁ ଜେରା କରିପାରିବେ ବୋଲି ଏପ୍ରିଲ୍ ୧୩ରେ କଲିକତା ହାଇକୋର୍ଟର ଜଷ୍ଟିସ୍ ଅଭିଚିତ ଗଙ୍ଗୋପାଧ୍ୟାୟ ଆଦେଶ ଦେଇଥିଲେ । ଏହା ସହିତ ତଦନ୍ତ ଶୀଘ୍ର ସାରିବାକୁ ଜଷ୍ଟିସ୍ ଗଙ୍ଗୋପାଧ୍ୟାୟ କହିଥିଲେ । ସେହିପରି ମାମଲାର ତଦନ୍ତ କରୁଥିବା ସିବିଆଇ ଓ ଇଡି ଅଧିକାରୀଙ୍କ ବିରୋଧରେ କୌଣସି ଏଫ୍ଆଇଆର୍ ନକରିବାକୁ ହାଇକୋର୍ଟ ପଶ୍ଚିମବଙ୍ଗ ପୁଲିସକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।