ବାରିପଦା: ବାରିପଦା ସହରକୁ ପଶି ଆସିଛି ଏକ କଲରା ପତରିଆ ବାଘ । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁର ବୁଢିଖମାରୀ ଅଞ୍ଚଳରେ ପ୍ରଥମେ ବାଘଟିକୁ ଦେଖିଥିଲେ କିଛି ଲୋକେ। ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପାଚେରୀ ଡେଇଁ ଲୋକଙ୍କ ବାଡ଼ି ବୁଦାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ବନବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ଗତ ବୁଧବାର ଦିନ ଶିମିଳିପାଳରୁ ଦିଗହରା ହୋଇ ଏକ କଲରାପତରିଆ ବାଘ ଶ୍ୟାମାଖୁଣ୍ଟ ବ୍ଲକ ଜଗନ୍ନାଥପୁର ଅଞ୍ଚଳକୁ ପଶି ଆସିଥିଲା। ବନବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ପ୍ରୟାସ କରାଯାଇଥିବା ବେଳେ ବିଫଳ ହୋଇଥିଲା ବିଭାଗ। ତେବେ ଆଜି ସମାନ ଧରଣର ବାଘଟି ବାରିପଦା ସହରରେ ଦେଖା ଦେଇଥିବା ବେଳେ ଏହା ସେହି ବାଘ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ବାଘକୁ ଦେଖିବା ପରେ ଭଞ୍ଜପୁର ବୁଢିଖମାରୀ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଶୀଘ୍ର ବାଘକୁ ଠାବ କରି ଧରିନେବା ପାଇଁ ବନବିଭାଗକୁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।