ମୁମ୍ବାଇ : ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆକ୍ରମଣ ହେବାର ଆଶଙ୍କା ପରେ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇ ଯାଇଛନ୍ତି । ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୂଚନା ଅନୁଯାୟୀ, ସୋମବାର ଇରଫାନ ଅହମ୍ମଦ ନାମକ ଜଣେ ବ୍ୟକ୍ତି ଫୋନ୍ କରି ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଧମକ ଦେବା ସହ ଅଭିଯୁକ୍ତ ନିଜକୁ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ପରିଚୟ ଦେଇଥିଲା । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ କରିବା ସହ ସେଠାରେ କିଛି କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି । ମୁମ୍ବାଇ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାର ମୁମ୍ବାଇର କୋଲାବା ସ୍ଥିତ ବେସ୍ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ୧୦ ଫେବ୍ରୁଆରୀ ପର୍ଯ୍ୟନ୍ତ ଏଠାରେ ଡ୍ରୋନ କିମ୍ବା ଅନ୍ୟ କୌଣସି ଉଡ଼ାଣ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ମହାରାଷ୍ଟ୍ରର ନାଗପୁରର ଦୁଇଟି ଡାକ୍ତରଖାନାକୁ ବୋମା ବିସ୍ଫୋରଣ ନେଇ ଧମକ ଦିଆଯାଇଥିଲା । ଏ ସମ୍ପର୍କରେ ନାଗପୁର ପୋଳିସ ଷ୍ଟେସନ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା । ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ, ପୋଲିସ ଏହାର ତଦନ୍ତ କରୁଛି ।