29.1 C
Bhubaneswar
Sunday, July 13, 2025
Homeଖେଳଭାବୁଥିଲେ ଖେଳ ଛାଡ଼ିବେ, ଏବେ ଅଲିମ୍ପିକ୍ସ ଲକ୍ଷ୍ୟ

ଭାବୁଥିଲେ ଖେଳ ଛାଡ଼ିବେ, ଏବେ ଅଲିମ୍ପିକ୍ସ ଲକ୍ଷ୍ୟ

ଭୁବନେଶ୍ବର : ମାତ୍ର ମାସ କେଇଟା ଭିତରେ ସାଧାରଣ ଖେଳାଳିରୁ ଅସାଧାରଣ ପାଲଟି ଯାଇଛନ୍ତି ଏସିଆଡ୍‌ ରୌପ୍ୟ ପଦକ ବିଜେତା ଜାଭେଲିନ୍ ତାରକା କିଶୋର କୁମାର ଜେନା। ଚଳିତ ମାସ ପ୍ରାରମ୍ଭରେ ଚୀନର ହାଂ‌ଝୌରେ ଅନୁଷ୍ଠିତ ଊନ୍ନବିଂଶ ଏସୀୟ କ୍ରୀଡ଼ାରେ ୮୭.୫୪ ମିଟର୍‌ ଜାଭେଲିନ୍‌ ଫିଙ୍ଗି ଐତିହାସିକ ସଫଳତା ଆଣିବା ପରଠାରୁ ଚର୍ଚ୍ଚାରେ ଏହି କୋଠସାହିର କୋହିନୂର। ଏସୀୟ କ୍ରୀଡ଼ା ସଫଳତା ପରେ ପ୍ରଥମ ଥର ଓଡ଼ିଶା ଆସିଥିବା କିଶୋରଙ୍କୁ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ଯେଉଁଠି ଖେଳ ଜୀବନର ମୂଳଦୁଆ ପକାଇଥିଲେ ଏବେ ସେହିଠାରେ ଦୁଇ ମାସ ଭିତରେ ଦୁଇ ଥର ସମ୍ବର୍ଧିତ ହୋଇ ନିଜକୁ ସୌଭାଗ୍ୟ ମଣିଛନ୍ତି। ‘‘ଏସୀୟ କ୍ରୀଡ଼ା ସଫଳତା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋ’ ଫଟୋ ଲାଗି ସ୍ବାଗତ କରାଯିବା ମୋତେ ଖୁସି ଦେଇଛି। ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବାରୁ ମୁଁ ବିଶେଷ ଆନନ୍ଦିତ। ରାଜ୍ୟ ପାଇଁ ଅଧିକ ସଫଳତା ଆଣିବା ମୋ ଲକ୍ଷ୍ୟ।’’ ସମ୍ବର୍ଧନା ସଭା ପୂର୍ବରୁ ସାମ୍ବାଦିକଙ୍କ ସହ ଅନୌପଚାରିକ ଆଲୋଚନା‌େର‌ କିଶୋର ଏମିତି କହିଥି‌େଲ। ଏ ପର୍ଯ୍ୟନ୍ତ ପାଇଥିବା ସମସ୍ତ ସଫଳତାର ଶ୍ରେୟକୁ ନିଜ ପରିବାରକୁ ଦେଇଛନ୍ତି। ପରିବାରଠାରୁ ସେ ଅଢ଼େଇ ବର୍ଷ ହେବ ଦୂରରେ ରହିଛନ୍ତି। ଗତ ଥର ଓଡ଼ିଶା ଆସିଥିବା ବେଳେ କେବଳ ବାପା ଆସି ତାଙ୍କୁ ଭୁବନେଶ୍ବରରେ ଭେଟିଥିଲେ। ଏଥିପାଇଁ ବେଳେବେଳେ ମନ ଭିତରେ ବ୍ୟର୍ଥତା ଆସିଯାଏ। ଏପରିକି ଗତ ଜୁନ୍-ଜୁଲାଇରେ ଜାତୀୟ ସ୍ବର୍ଣ୍ଣ ପଦକ ଜିତିବା ପରେ ଲେବାନନ ଓ ଶ୍ରୀଲଙ୍କା ଗସ୍ତରେ ଯିବା ବେଳେ ଖେଳ ଛାଡ଼ିଦେବି ବୋଲି ମନକୁ ଆସିଥିଲା। ବାପା ବହୁ ବୁଝାଇଥିଲେ। ଶ୍ରୀଲଙ୍କା ଜାତୀୟ ପ୍ରତିଯୋଗିତାରେ ୮୪.୩୮ ମିଟର୍ ସହ କେବଳ ସ୍ବର୍ଣ୍ଣ ପଦକ ଜିତିବା ବେଳେ ଏସୀୟ କ୍ରୀଡ଼ା ଟିକେଟ୍ ଅର୍ଜନ କରିବା‌ ତାଙ୍କ ଖେଳ ଜୀବନର ଟର୍ଣ୍ଣିଂ ପଏଣ୍ଟ ଥିଲା ବୋଲି କିଶୋର ପ୍ରକାଶ କରିଥିଲେ। ଏହା ପରେ ଏସୀୟ କ୍ରୀଡ଼ାରେ ୮୭.୫୪ ମିଟର୍ କିଶୋରଙ୍କୁ ଆସନ୍ତା ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍ ମଧ୍ୟ ଦେଇଛି। ହାଂଝୌରେ ଅକ୍ଟୋବର ୪ ତାରିଖରେ ଜାଭେଲିନ୍ ଫାଇନାଲ୍ ବେଳେ କିଂବଦନ୍ତି ନୀରଜ ଚୋପ୍ରାଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ପଛରେ ପକାଇଥିବା କିଶୋର କହିଥିଲେ ‘ସେତେବେଳେ ମନରେ ପଦକ ଜିତିବା ଅପେକ୍ଷା ଅଲିମ୍ପିକ୍ସ ଟିକେଟ୍ କଥା ଅଧିକ ଆସୁଥିଲା। ଏହା ହାସଲ କରିପାରିଥିବାରୁ ମୁଁ ଅଧିକ ଖୁସି‌। ଏବେ ମୁଁ ଅପେକ୍ଷାକୃତ ଆଶ୍ବସ୍ତ ଅଛି, ଅଲିମ୍ପିକ୍ସ ପଦକ କଥା ଏବେଠାରୁ ମନରେ ରଖିନାହିଁ। ତୁରନ୍ତ ନ ହେଲେ ବି ଦିନେ ନା ଦିନେ ୯୦ ମିଟର୍‌ ଲକ୍ଷ୍ୟ ହାସଲ କରିବା ଆଶା ରଖିଛି।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking