ଭୁବନେଶ୍ୱର: ଦିନକୁ ଦିନ ବଢି ଚାଲିଛି ସାଇବର ଠକେଇ । ଆର୍ଥିକ ନେଣଦେଣ ଡିଜିଟାଲ ହେବା ପରଠୁ ସାଇବର ଠକେଇର ମାତ୍ରା ବଢିବାରେ ଲାଗିଛି । ସ୍ମାର୍ଟ ଲୋକଙ୍କୁ ସ୍ମାର୍ଟ ଉପାୟରେ ଠକେଇ କରୁଛନ୍ତି ସାଇବର ଲୁଟେରା । କେବେ କ୍ରେଡିଟ କାର୍ଡ, ପୁଣି କେବେ ଆପ୍, ପୁଣି କେବେ ପୁଙ୍ଗୁଳା ଦେହ ଦେଖାଇ ଲୋକଙ୍କୁ କଳାକନା ବୁଲାଇ କଲବଲ କରିଛନ୍ତି ।
ଏବେ ଜଣେ ୨୮ ବର୍ଷିୟ ଯୁବତୀଙ୍କ ଏକ ଭିଡିଓକୁ ଲାଇକ୍ କରି ୭ ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ମହିଳା । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । ମହାରାଷ୍ଟ୍ରର ମଲାଡ ଅଞ୍ଚଳରେ ଏହି ଘଟଣା ଘଟିଛି ।
ସୂଚନା ଅନୁସାରେ, ମହାରାଷ୍ଟ୍ର ମଲାଡ ଅଞ୍ଚଳରେ ରୁହନ୍ତି ଜଣେ ୨୮ ବର୍ଷିୟ ମହିଳା । ମହିଳା ଜଣକ ଆର୍କିଟେକ ଭାବେ କାମ କରନ୍ତି। ହେଲେ ଗର୍ଭବତୀ ଥିବାରୁ ସେ ମାର୍ଟରନିଟି ଲିଭରେ ରହିଛନ୍ତି । ଏହି ସମୟରେ,ସେ ଏକ ପାର୍ଟ ଟାଇମ ଜବ ଖୋଜୁଥିଲେ। ଏହି ସମୟରେ ସେ ଅନେକ ଓ୍ବେବ ସାଇଟରେ ଚାକିରୀ ପାଇଁ ଆବେଦନ କରିଥିଲେ। ଏହି ସମୟରେ ହଠାତ ଏକ ଅଜଣା ନମ୍ବରରୁ ଚାକିରୀ ପାଇଁ ଫୋନ୍ କଲ୍ ଆସିଥିଲା । ଏବଂ ଓ୍ବାର୍ଟସପରେ କିଛି ଭିଡିଓର ଲିଙ୍କ ମଧ୍ୟ ଆସିଥିଲା। ଯାହାକୁ ସେ କ୍ଲିକ୍ କରିବା ମାତ୍ରା ତାଙ୍କ ଆକାଉଣ୍ଟକୁ ୫୦ ଟଙ୍କା ଆସିଥିଲା ।
ପରେ ମହିଳାଙ୍କ ଲୋଭ ବଢିଯାଇଥିଲା ଦ୍ବୀତିୟ ଭିଡିଓ ଲିଙ୍କକୁ ଲାଇକ୍ କରିବା ମାତ୍ରେ ବାଏଁ ବାଏଁ ତାଙ୍କ ଆକାଉଣ୍ଟରୁ ୭ ଲକ୍ଷରୁ ଅଧିକ ଟଙ୍କା କଟି ଯାଇଥିଲା। ହଠାତ ଆକାଉଣ୍ଟରୁ ଏତେ ଟଙ୍କା କଟି ଯିବା ପରେ ମହିଳାଙ୍କ ମୁଣ୍ତ କାମ କରି ନ ଥିଲା । ଭୟର ଏହି କଥା ନିଜ ସ୍ବାମୀଙ୍କୁ ମଧ୍ୟ କହି ନଥିଲେ । ପରେ ଏନେଇ ପୋଲିସ ନିକଟକୁ ଯାଇଥିଲେ ମହିଳା। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଛାନଭିନ୍ ଜାରି ରଖିଛି । ସେପଟେ ମହିଳାଙ୍କ ଆକାଉଣ୍ଟରୁ ୭ ଲକ୍ଷ ୧୬ ହଜାର ଟଙ୍କା ସାଇବର ଠକ ଲୁଟି ନେଇଥିବା ଜଣାପଡିଛି।