30.1 C
Bhubaneswar
Saturday, May 3, 2025
Homeଓଡିଶାଦାଦନ ହୋଇ ଯାଉଛନ୍ତି, ଶବ ହୋଇ ଫେରୁଛନ୍ତି

ଦାଦନ ହୋଇ ଯାଉଛନ୍ତି, ଶବ ହୋଇ ଫେରୁଛନ୍ତି

ବ୍ରହ୍ମପୁର: ରାଜ୍ୟର ବିଭିନ୍ନ ଜିଲ୍ଳାରୁ ଲକ୍ଷାଧିକ ବ୍ୟକ୍ତି ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ, ଦେଶକୁ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ ପ୍ରତାରିତ ହୋଇ ନ୍ୟାର୍ଯ୍ୟ ମଜୁରୀ ମଧ୍ୟ ନ ପାଇ ନିର୍ଯ୍ୟାତନାର ଶୀକାର ହେବା ସାଙ୍ଗକୁ ପ୍ରାଣ ମଧ୍ୟ ହରାଉଛନ୍ତି । ଯେଉଁ ପରିବାରର ଆର୍ଥିକ ସୁରକ୍ଷା ପାଇଁ ଭିଟାମାଟି ଛାଡ଼ିଥିଲେ ସେଇ ଭିଟାମାଟିକୁ ଫେରିବା ତ ଦୂରର କଥା ନିଜେ ଶବ ହୋଇ ଫେରୁଛନ୍ତି । ଏଭଳି ଘଟଣା ଗଞ୍ଜାମ ଜିଲ୍ଳାରେ ପ୍ରତ୍ୟେକ ବର୍ଷ ଘଟୁଥିବା ସତ୍ତ୍ୱେ ଏହାକୁ ରୋକିବା ପାଇଁ ସରକାର କୌଣସିି ପଦକ୍ଷେପ ନିଆଗଲା ନାହିଁ । ଗତ କିଛି ମାସ ପୂର୍ବେ ଜିଲ୍ଳାର ବହୁ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଏହି ଅକାଳ ମୃତ୍ୟୁକୁ ରୋକିବ କିଏ । ରୋଜଗାରିଆ ବ୍ୟକ୍ତି ଦାଦନ ହୋଇ ପରଲୋକ ଗଲେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବ କିଏ । ନିର୍ବାଚନ ପରେ ପୁଣି ଥରେ ନିର୍ବାଚନ ଆସିଲା । ସଂପ୍ରତି ଜିଲ୍ଳାର ଲକ୍ଷାଧିକ ଶ୍ରମିକ ପରିବାରକୁ ଏହି ପ୍ରଶ୍ନ ଘାରିଛି । ରାଜ୍ୟର ପୂର୍ବତନ ଶ୍ରମ ମନ୍ତ୍ରୀ ଅତୀତରେ ପ୍ରତିଶ୍ରୁତି ଦେଇଥିଲେ ଯେ ରାଜ୍ୟର ଶ୍ରମିକ ମାନେ ଯେଉଁ ରାଜ୍ୟକୁ ଯାଉଛନ୍ତି ସେଠାକାର ରାଜ୍ୟ ସହ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ସଂପର୍କ ସ୍ଥାପନ କରାଯିବ । କୌଣସି କାରଣ ବଶତଃ ଶ୍ରମିକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନଙ୍କୁ ସେଠାକାର ସରକାର ସହ କଥାବାର୍ତ୍ତା କରି କ୍ଷତି ଭରଣା କରିବାକୁ କୁହାଯିବ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଭଳି କୌଣସି ପଦକ୍ଷେପ ନିଆଯାଇନଥିବା ନେଇ ଶ୍ରମିକ ମହଲରେ ଅଭିଯୋଗ ହୋଇଛି । ପ୍ରତ୍ୟେକ ବ୍ଳକରେ ସହାୟକ ଶ୍ରମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବାକୁ କୁହାଯାଇଥିଲା । କେବଳ ହାତଗଣତିରେ କେତେକ ଶ୍ରମ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ଏବେ ପ୍ରଶ୍ନ ଉଠୁଛି ଯେ ଆଉ କେତେ ଦିନ ଏଭଳି ଦୟନୀୟ ସ୍ଥିତିରେ ରହିବେ ଜିଲ୍ଳାର ଲକ୍ଷାଧିକ ଶ୍ରମିକ ପରିବାର । ନିର୍ବାଚନ ସମୟରେ ବିଭିନ୍ନ ଦଳର ପ୍ରାର୍ଥୀ ଓ ପ୍ରତିନିଧିଙ୍କୁ ଏ ନେଇ ପ୍ରଶ୍ନ କରିବେ ଶ୍ରମିକ ପରିବାର । ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ ମଙ୍ଗଳ ପାଇଁ ଶ୍ରମିକ କଲ୍ୟାଣ ପାଣ୍ଠି ଗଠନ କରାଯାଇ ବହୁ କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । କିନ୍ତୁ ଶ୍ରମ ବିଭାଗରେ କର୍ମଚାରୀ ଅଭାବରୁ ସଂଖ୍ୟାଧିକ ଶ୍ରମିକ ଯୋଜନାରୁ ବଞ୍ôଚତ ହେଉଛନ୍ତି । ଗତ ୨୦୨୨ ମସିହା ଜୁନ ମାସରେ ସ୍ଥାନୀୟ ସର୍କିଟ ହାଉସ ଠାରେ ରାଜ୍ୟର ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଶ୍ରମିକଙ୍କ ମଙ୍ଗଳ ପରିପ୍ରେକ୍ଷୀରେ ଏକ ସମୀକ୍ଷା ବୈଠକ କରିଥିଲେ । ଏଠାରେ ସେ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଏଣିକି ଜିଲ୍ଳା ତଥା ରାଜ୍ୟର ଶ୍ରମିକଙ୍କ ସମସ୍ତଙ୍କ ସୂଚନା ରଖାଯିବ । ଏଥି ପାଇଁ ସବୁ ବ୍ଳକରେ ଜଣେ ଲେଖାଏଁ ସହଯୋଗୀ ଶ୍ରମ ଅଧିକାରୀ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking