35.1 C
Bhubaneswar
Monday, June 17, 2024
Homeଓଡିଶା+୨ ପରୀକ୍ଷା ପୂର୍ବରୁ ହେବ ୩୦୦ମାର୍କ ପରୀକ୍ଷା

+୨ ପରୀକ୍ଷା ପୂର୍ବରୁ ହେବ ୩୦୦ମାର୍କ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦଶମ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଯେପରି ପ୍ରସ୍ତୁତ କରିବାକୁ   ଯୋଜନା କରାଯାଉଛି ସେହିପରି ଦ୍ୱାଦଶ ପରୀକ୍ଷା ପୂର୍ବରୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେବ ଅଭିନବ ପ୍ରୟାସ । ଆସନ୍ତା ଶିକ୍ଷାବର୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ୬ମାସ ପୂର୍ବରୁ  ଏକ ପ୍ରି-ଏକ୍‌ଜାମ୍ କରାଯିବ । ଯେଉଁଥିରେ ୪ଟି ବିଷୟ ଯଥା, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ବାୟୋଲୋଜି ପରୀକ୍ଷା କରାଯିବ । ଏହି ୪ଟି ବିଷୟରେ ୩୦୦ମାର୍କର ପରୀକ୍ଷା ହେବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ   +୨ ପରିଷଦ ପକ୍ଷରୁ ଆୟୋଜିତ ପରୀକ୍ଷାର ଢାଞ୍ଚା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଫଳରେ ଛାତ୍ରଛାତ୍ରୀମାନେ +୨ ପରୀକ୍ଷା ଦେବା ପୂର୍ବରୁ ପରୀକ୍ଷା ସମ୍ପର୍କରେ ଠିକ୍ ଭାବେ ଅବଗତ ହେବା ସହ ପୂର୍ବରୁ ଯୁକ୍ତଦୁଇ ପରୀକ୍ଷାରେ ପିଲାମାନେ ଯେପରି ବିଚଳିତ ହେଉଥିଲେ ସେହି ଭୟ ପିଲାଙ୍କ ପାଖରେ ରହିବ ନାହିଁ । ବିଶେଷକରି ପରୀକ୍ଷା ପାଟର୍ଣ୍ଣ ସମ୍ପର୍କରେ ପୂର୍ବରୁ ପିଲାଙ୍କର ଅଭିଜ୍ଞତା ସୃଷ୍ଟି ହୋଇଥିବାରୁ ଏହି ପରୀକ୍ଷାରେ ପିଲାଙ୍କର ପାସ୍‌ହାର ବୃଦ୍ଧି ପାଇପାରିବ । ତେବେ ଏହି ବ୍ୟବସ୍ଥାକୁ ସବୁ ସ୍ତରରେ ସ୍ୱାଗତ କରାଯାଉଛି ।
ପୂର୍ବରୁ ଓଡ଼ିଆ ମାଧ୍ୟମ ପିଲାମାନେ +୨ ବା ଦ୍ୱାଦଶଶ୍ରେଣୀରେ ନାମଲେଖାଇବା ପରେ ଶ୍ରେଣୀରେ ଶିକ୍ଷାଦାନ ମାଧ୍ୟମ ଇଂରାଜୀ ଏବଂ ପରୀକ୍ଷାରେ ମଧ୍ୟ ଲେଖିବାର ମାଧ୍ୟମ କେବଳ ଇଂରାଜୀ ଭାଷା ଥିବାରୁ ଅନେକ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ପୂର୍ବରୁ ନର୍ଭସ ହୋଇପଡ଼ିଥାନ୍ତି । ବିଶେଷକରି ସାଇନ୍ସ ଛାତ୍ରଛାତ୍ରୀମାନେ ଅଧିକ ଭୟ ଏବଂ ଚିନ୍ତିତ ହୋଇପଡ଼ିଥାନ୍ତି । ଏପରି ସମସ୍ୟାର ସମାଧାନ ଲାଗି ଦ୍ୱାଦଶ ପରୀକ୍ଷା  ୬ମାସ ପୂର୍ବରୁ ଏକ ପ୍ରି ପରୀକ୍ଷା ହେବ । ଯେଉଁଥିରେ ୩୦୦ମାର୍କର ପରୀକ୍ଷା କରାଯିବ । ଉଭୟ ସଂକ୍ଷିପ୍ତ ଏବଂ ଦୀର୍ଘ ପ୍ରଶ୍ନୋତ୍ତର ସମ୍ପର୍କରେ ପିଲାଙ୍କୁ ଅବଗତ କରାଯିବ ସହ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀମାନେ ଯେପରି ସବୁ ପ୍ରଶ୍ନର ଉତ୍ତର ଦେବା ଲାଗି ସକ୍ଷମ ହୋଇପାରିବେ, ସେନେଇ ପିଲାଙ୍କୁ ପ୍ରସ୍ତୁତ କରାଯିବ ।
ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନେ ଦ୍ୱାଦଶ ଶ୍ରେଣୀରେ ଇଂରାଜୀରେ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଇଂରାଜୀ ଭାଷାରେ ପରୀକ୍ଷା ଦେବା ବାଧ୍ୟତାମୂଳକ ଥିବାରୁ ଏହାର ପ୍ରଭାବ ପାସ୍‌ହାର ଉପରେ ପଡ଼ୁଛି । ବିଶେଷକରି ବିଜ୍ଞାନରେ ଓଡ଼ିଆ ମାଧ୍ୟମ ପିଲାଙ୍କ ମଧ୍ୟରୁ ୩୫ପ୍ରତିଶତ ପିଲା ଫେଲ୍ ହେଉଥିବାବେଳେ ଦଶମ ଶ୍ରେଣୀରେ ୫୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ମଧ୍ୟରୁ ୬୫ପ୍ରତିଶତ ଛାତ୍ରଛାତ୍ରୀ ୪୫% ତଳକୁ ମାର୍କ ରଖୁଛନ୍ତି । ବିଶେଷକରି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନରେ ୪୦ପ୍ରତିଶତ ଛାତ୍ରଛାତ୍ରୀ ଫେଲ ହେଉଥିବା ବେଳେ ଗଣିତରେ ୫୫% ଏବଂ ବାୟୋଲୋଜିରେ ୩୫ପ୍ରତିଶତ ଛାତ୍ରଛାତ୍ରୀ ଫେଲ୍ ହେଉଛନ୍ତି । କଳା, ବାଣିଜ୍ୟରେ ୯୦%ରୁ ଅଧିକ ମାର୍କ ରଖୁଥିବା ପିଲାଙ୍କ ସଂଖ୍ୟା ପ୍ରାୟ ୨% ଥିବାବେଳେ ବିଜ୍ଞାନରେ ୯୦ପ୍ରତିଶତରୁ ଅଧିକ ମାର୍କ ରଖୁଥିବା ପିଲାଙ୍କ ସଂଖ୍ୟା ୦.୦୦୮% ରହୁଛି । ଗତ ୫ବର୍ଷ ହେବ ପାସ୍‌ହାର କ୍ରମାଗତ ଭାବେ ହ୍ରାସ ପାଇଥିବାବେଳେ ୯୦%ରୁ ଅଧିକ ମାର୍କ ରଖୁଥିବା ପିଲାଙ୍କ ସଂଖ୍ୟା ମଧ୍ୟ ହ୍ରାସ ଘଟୁଛି । ଏପରି ସମସ୍ୟାର ସମାଧାନ ଲାଗି ପିଲାଙ୍କୁ ପରୀକ୍ଷା ପୂର୍ବରୁ ପ୍ରସ୍ତୁତ କରିବାକୁ ଏପରି ପ୍ରୟାସ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking