30.1 C
Bhubaneswar
Sunday, February 8, 2026
Homeଓଡିଶାନିର୍ବାଚନରେ ଅନିୟମିତତା ଉପରେ ନିର୍ବାଚନ କମିସନରଙ୍କ ସ୍ପଷ୍ଟୀକରଣ ସନ୍ତୋଷଜନକ ନୁହେଁ: ବିଜେଡି

ନିର୍ବାଚନରେ ଅନିୟମିତତା ଉପରେ ନିର୍ବାଚନ କମିସନରଙ୍କ ସ୍ପଷ୍ଟୀକରଣ ସନ୍ତୋଷଜନକ ନୁହେଁ: ବିଜେଡି

– ସ୍ପଷ୍ଟୀକରଣରେ କୌଣସି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ
– ଦେଶର ସଂପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଅଡିଟ ହେବା ଉଚିତ
– ଭିଭିପ୍ୟାଡ଼ ଓ ସମଗ୍ର ଭୋଟ ଭିତରେ ସାମଞ୍ଜସ୍ୟ ରହିବା ଉଚିତ

ଭୁବନେଶ୍ୱର: ବିଜୁ ଜନତା ଦଳ ତରଫରୁ ଗତ ନିର୍ବାଚନ ସମୟରେ କିଛି ଅନିୟମିତତା ଅଭିଯୋଗର ଉତ୍ତରରେ ନିର୍ବାଚନ କମିସନ ଦେଇଥିବା ଉତ୍ତର ସନ୍ତୋଷଜନକ ନୁହେଁ ଓ ଗ୍ରହଣୀୟ ମଧ୍ୟ ନୁହେଁ ବୋଲି ଦଳର ବରିଷ୍ଠ ନେତା ଓ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକ କହିଛନ୍ତି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ, ବିଜୁ ଜନତା ଦଳ ଏକ ଦାୟିତ୍ୱସଂପର୍ଣ୍ଣ ରାଜନୈତିକ ଦଳ। ଗତ ନିର୍ବାଚନ ଓ ପରେ ଭୋଟ ଗଣତି ସମୟରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ମିଳିଥିବା ତଥ୍ୟ ଅନୁଯାୟୀ ଅନେକ ତାରତମ୍ୟ ପରିଲକ୍ଷିତ ହୋଇଥିଲା, ଯାହାକୁ ଆମେ ଦଳ ତରଫରୁ ଦେଶର ନିର୍ବାଚନ କମିସନରଙ୍କ ନଜରକୁ ଆଣି ଏହାର ସ୍ପଷ୍ଟୀକରଣ ଚାହିଁଥିଲୁ। ଗଣତନ୍ତ୍ରରେ ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ସେହି କାରଣରୁ ନିର୍ବାଚନରେ ସ୍ୱଚ୍ଛତାର ଆବଶ୍ୟକତା ରହିଛି। ନିର୍ବାଚନ ସମୟରେ ଆମର ହସ୍ତଗତ ହୋଇଥିବା ଫର୍ମ ୧୭-ଉ ଓ ନିର୍ବାଚନ କମିସନରଙ୍କ ୱେବସାଇଡରେ ଫର୍ମ ୨୦ ରେ ଥିବା ଭୋଟ ସଂଖ୍ୟା ଭିତରେ ତାଳମେଳ ନାହିଁ। ସେହିପରି, ଅନେକ ବୁଥରେ ଲୋକ ସଭା ଓ ବିଧାନସଭା ଭୋଟରେ ମଧ୍ୟ ତାରତମ୍ୟ ରହିଛି। ନିର୍ବାଚନ ଶେଷ ହେବା ପରେ ରାତି ୧୧.୪୫ ମିନିଟ ସମୟରେ ନିର୍ବାଚନ କମିସନରଙ୍କ ତରଫରୁ ଦିଆ ଯାଇଥିବା ଭୋଟ ସଂଖ୍ୟା ଠାରୁ ଗଣତି ହୋଇଥିବା ଭୋଟ କିପରି ଅଧିକ ରହୁଛି, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଶ୍ରୀ ଅମର ପଟ୍ଟନାୟକ କହିଥିଲେ, ଏହି ପ୍ରଶ୍ନର ଉତ୍ତରରେ, ନିର୍ବାଚନ କମିସନର ରଖିଥିବା ସ୍ପଷ୍ଟୀକରଣ ସନ୍ତୋଷଜନକ ନୁହେଁ। କୌଣସି ପ୍ରମାଣଯୋଗ୍ୟ ତଥ୍ୟ ପ୍ରଦାନ ନକରି, କେବଳ ଉପର ଠାଉରିଆ ଭାବେ ନିର୍ବାଚନ କମିସନର ସ୍ପଷ୍ଟୀକରଣ ରଖିଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ। ବୁଥରେ ପ୍ରଦାନ କରାଯାଇଥିବା ଭୋଟ ସଂଖ୍ୟାଠାରୁ ଗଣତି ହୋଇଥିବା ଭୋଟ କିଛି ସ୍ଥାନରେ ଅଧିକ ଥିବା ଆମେ ଦର୍ଶାଇଥିଲୁ। ଉଦାହରଣ ସ୍ୱରୂପ କୁଚିଣ୍ଡାର ଏକ ବୁଥରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୧୦୩୧ ହୋଇଥିବା ବେଳେ ସେଠାରେ ୧୦୩୩ ଖଣ୍ଡ, ଅର୍ଥାତ ଦୁଇ ଗୋଟି ଅଧିକ ଭୋଟ ଗଣତି ହୋଇଛି। ସେହିପରି, କୁଚିଣ୍ଡାର ୨୫୯ ନମ୍ୱର ବୁଥରେ, ସମୁଦାୟ ୮୩୨ ଜଣ ଭୋଟର ଥିବା ବେଳେ, ୮୩୯ଟି ଭୋଟ ଅର୍ଥାତ ଅଧିକା ୭ଖଣ୍ଡ ଭୋଟ ଗଣତି ହୋଇଛି। ଏହାର ଉତ୍ତରରେ, ନିର୍ବାଚନ କମିସନର, ଭୋଟର ମାନେ ଭୋଟ ଦେବାକୁ ଚାହିଁ ନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ତାଛଡା, ଫର୍ମ ୧୭-ଉ ପ୍ରଦାନ କରିବା ପାଇଁ ନିର୍ବାଚନ କମିସନର କୋର୍ଟରେ ନିର୍ବାଚନ ମାମଲା କେସ ବିଚାରଧୀନ ଥିଲେ, ପ୍ରଦାନ କରା ଯାଇ ପାରିବ ନାହିଁ। ଓଡ଼ିଶାର ୧୪୭ ବିଧାନସଭା ଆସନରୁ, ମାତ୍ର ୨୮ ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ମାମଲା ଦାୟର ହୋଇଥିବା ବେଳେ ଅନ୍ୟ ଆସନ ଗୁଡିକର ଫର୍ମ ୧୭-ଉ କାହିଁକି ପ୍ରଦାନ କରା ଯାଉନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରସ୍ତୁତି ଠାରୁ ନେଇ ଭୋଟ ଗଣତି ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ଏକ ଅଡିଟ କରିବା ପାଇଁ ବିଜୁ ଜନତା ଦଳ ଦାବୀ କରିଛି। ନିର୍ବାଚନ ପ୍ରକ୍ରିୟାର ଅଡିଟ ବ୍ୟବସ୍ଥା ଅନ୍ୟ ଦେଶ ମାନଙ୍କରେ ରହିଛି, କିନ୍ତୁ ଭାରତରେ ନାହିଁ। ସେହିପରି ଭିଭିପ୍ୟାଡ଼ରେ ଥିବା ତଥ୍ୟ ସହିତ ଭୋଟର ତାଳମେଳ ରହିବା ନିହାତି ଆବଶ୍ୟକ। ତେଣୁ, ସମସ୍ତ ଭୋଟ ପାଇଁ ଏହି ବ୍ୟବସ୍ଥା ହେବା ଆବଶ୍ୟକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking