18.1 C
Bhubaneswar
Saturday, November 23, 2024
Homeଓଡିଶାକୁବେରପୁରକୁ ଭଲ ରାସ୍ତାଟିଏ ନାହିଁ: ପିଲାଙ୍କୁ କାନ୍ଧରେ ବୋହୁଛନ୍ତି ଅଭିଭାବକ

କୁବେରପୁରକୁ ଭଲ ରାସ୍ତାଟିଏ ନାହିଁ: ପିଲାଙ୍କୁ କାନ୍ଧରେ ବୋହୁଛନ୍ତି ଅଭିଭାବକ

ତିହିଡ଼ି : ସ୍ୱାଧୀନତାର ୭୫ ବର୍ଷ ପରେ ବି ରାଜ୍ୟର ଅନେକ ଅଞ୍ଚଳ ଅଛି, ଯେଉଁଠି ସର୍ବନିମ୍ନ ସୁବିଧା ଟିକିଏ ମିଳିପାରୁନାହିଁ । ଗମନାଗମନ ସୁବିଧାକୁ ଅର୍ଥନୈତିକ ପ୍ରଗତିର ଭିତ୍ତିଭୂମି ବିବେଚନା କରାଯାଉଥିବା ବେଳେ ଏବେ ବି କିଛି ଅଞ୍ଚଳ ରହିଛି ଯେଉଁଠି ଯାତାୟାତ ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଏହାର ସଦ୍ୟତମ ଉଦାହରଣ ହେଉଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ବାହାବଳପୁର ପଞ୍ଚାୟତର କୁବେରପୁର ଗ୍ରାମ । ଏହି ଗ୍ରାମର ଛାତ୍ରଛାତ୍ରୀ ସେମାନଙ୍କ ବିଦ୍ୟାଳୟକୁ ଯିବା ପାଇଁ ରାସ୍ତାଟିଏ ନାହିଁ । ଖରାଦିନେ କଷ୍ଟେମଷ୍ଟେ ଚଳିଯାଉଥିବା ବେଳେ ବର୍ଷାଦିନେ କୋମଳମତି ଛାତ୍ରଛାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ପିଲାମାନେ ସ୍ଥାନୀୟ ନନ୍ଦକନ୍ଦର୍ପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଧ୍ୟୟନ ପାଇଁ ଯାଇଥାନ୍ତି । ସେହିପରି ପାଖ ଗ୍ରାମ ଉଗାଳପୁରେ ରହିଛି ଅଙ୍ଗନବାଡ଼ି କେନ୍ଦ୍ର । ତେବେ ବିଦ୍ୟାଳୟ ଯିବା ପାଇଁ ବହୁ ପୂର୍ବରୁ ନାଲିମାଟି ରାସ୍ତାଟିଏ ଥିଲା, ମାତ୍ର ତାହା ମରାମତି ଅଭାବରୁ ଏବେ ନିଜର ଅସ୍ତିତ୍ୱ ହରାଇ ବିଭିନ୍ନ ସ୍ଥାନରେ ଧାନ ବିଲରେ ମିଶିଯାଇଛି । ପିଲାମାନେ ଆଣ୍ଠୁଏ ପାଣି କାଦୁଅରେ ବିଦ୍ୟାଳୟକୁ ଆସୁଛନ୍ତି । ଯେଉଁଥିପାଇଁ ବହୁ ପିଲା ଜ୍ୱରଥଣ୍ଡାରେ ଆକ୍ରାନ୍ତ ହେଉଛନ୍ତି । ପାଣିକାଦୁଅରେ ଯାତାୟାତ କଲାବେଳେ ପାଦକୁ ଗେଣ୍ଡା କାଟିଦେବା ଫଳରେ କେତେକ ପିଲା ଆହତ ହୋଇ ବିଦ୍ୟାଳୟକୁ ଆସିବା ବନ୍ଦ କରିଦେଉଛନ୍ତି ।

ଏପରିକି ବର୍ଷାଦିନେ ସର୍ପ ଦଂଶନର ଭୟ ମଧ୍ୟ ରହିଛି । ସେହିପରି ଅଙ୍ଗନବାଡ଼ି କେନ୍ଦ୍ରକୁ ଯେଉଁ କୁନିକୁନି ପିଲା ଆସୁଛନ୍ତି ସେମାନଙ୍କ ପାଇଁ ବାପାଙ୍କ କାନ୍ଧ ପାଲଟିଛି ଆଶ୍ରା । ପିଲାଙ୍କୁ ବାପାମାନେ କାନ୍ଧରେ ବସାଇ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଣୁଛନ୍ତି ଓ ପାଠପଢ଼ା ଶେଷ ହେବା ପରେ ପୁଣି କାନ୍ଧରେ ବସାଇ ଘରକୁ ନେଉଛନ୍ତି । ଗତ ପାଞ୍ଚ ବର୍ଷ ହେଲା ଏହିପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି କୁବେରପୁରର ଗ୍ରାମବାସୀ । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking