14.1 C
Bhubaneswar
Saturday, January 11, 2025
Homeଓଡିଶାଜମି ବିକ୍ରି ଟଙ୍କାକୁ ନେଇ ଭାଇ-ଭାଉଜଙ୍କୁ ହତ୍ୟା କଲା ସାନଭାଇ

ଜମି ବିକ୍ରି ଟଙ୍କାକୁ ନେଇ ଭାଇ-ଭାଉଜଙ୍କୁ ହତ୍ୟା କଲା ସାନଭାଇ

ବାଲେଶ୍ୱର: ସୋର ବ୍ଲକ ସବିରା ମାଝୀ ସାହି ଗ୍ରାମରେ ସ୍ୱାମୀସ୍ତ୍ରୀଙ୍କ ଗଳା କାଟି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ସୋର ପୁଲିସ । ଜମି ବିକ୍ରି ଟଙ୍କାକୁ ନେଇ ସାନ ଭାଇ ଓ ତାଙ୍କର ଜଣେ ସହଯୋଗୀ ବଡ଼ ଭାଇ ଓ ଭାଉଜକୁ ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିବା ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଛି । ସୂଚନା ମୁତାବକ ସୋର ବ୍ଲକ ସବିରା ପଞ୍ଚାୟତ ମାଝୀ ସାହି ଗ୍ରାମର ବୁଦ୍ଧିରାମ ବେହେରାଙ୍କର ଦୁଇ ପୁଅ ବଡ଼ ରଘୁନାଥ ବେହେରା ଓ ସାନପୁଅ ମଧୁସୂଦନ ବେହେରା ।

ରଘୁନାଥ ଘର ପାଖରେ ଦୀର୍ଘ ୧୨ ବର୍ଷ ଧରି ଗ୍ରାମର ଜନବସତି ଠାରୁ ୨୦୦ ମିଟର ଦୂର ବାଲିପଡ଼ିଆ ନିକଟରେ ଏକ କୁକୁଡ଼ା ଫାର୍ମ କରିଥିଲେ । ମଧୁସୂଦନ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିଲେ । ଗତ କିଛି ମାସ ତଳେ ଜମି ବିକ୍ରି ହୋଇଥିବା ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ମଧୁସୂଦନ ଗତ ଏକ ମାସ ତଳେ ବାହାର ରାଜ୍ୟରୁ ଘରକୁ ଆସିଥିଲେ । ଘରକୁ ଆସିବା ପରେ ତାଙ୍କ ସାଙ୍ଗ ଉକ୍ତ ଗ୍ରାମର ମାନସ ଜେନା ସହିତ ମିଶି ଭାଇକୁ ହତ୍ୟା କରିବାର ଯୋଜନା କରିଥିଲେ ।

ଗତ ୧ ତାରିଖ ଦିନ ରାତିରେ ରଘୁନାଥ ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ଏକ ସ୍କୁଟିରେ ପ୍ରତିଦିନ ଭଳି ରାତିରେ ଫାର୍ମକୁ ଶୋଇବାକୁ ଯାଉଥିବା ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ମଧୁସୂଦନ ଓ ମାନସ ଫାର୍ମ ଆଗରେ ଜଗି ବସିଥିଲେ । ରଘୁନାଥ ଏବଂ ପ୍ରଭାତୀ ସେଠାରେ ପହଞ୍ôଚବା ମାତ୍ରେ ପ୍ରଥମେ ଉଭୟଙ୍କ ମୁହଁ ଓ ଦେହକୁ ଏସିଡ ଫିଙ୍ଗିଥିଲେ ଏବଂ ପରେ ଏକ ଧାରୁଆ ଛୁରୀ ଓ ଖଣ୍ଡା ସାହାଯ୍ୟରେ ଉଭୟଙ୍କ ଗଳାକାଟି ହତ୍ୟା କରିଥିଲେ । ହତ୍ୟା କରିବା ପରେ ଏସିଡ ବୋତଲ ଓ ଖଣ୍ଡାକୁ ନିକଟସ୍ଥ ପୋଖରୀକୁ ଫିଙ୍ଗି ଦେଇଥିବା ବେଳେ ଛୁରୀକୁ ନିକଟସ୍ଥ ଏକ ବୁଦାରେ ଲୁଚାଇ ଥିଲେ ।

ଏହି ହତ୍ୟାକାଣ୍ଡ ଖବର ପାଇ ସୋର ଥାନା ଆଇଆଇସି ସୁଜାତା ଖମାରୀ ସଦର ଏସଡିପିଓ ଡ଼. ଶଶାଙ୍କ ଶେଖର ବେଉରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରି ଏକ ଟିମ୍ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ପୁଲିସ ୫ ଜଣଙ୍କୁ ଅଟକ ରଖି ଛାନ୍‌ଭିନ୍ ଆରମ୍ଭ କରିଥିବାବେଳେ ମଧୁସୂଦନ ଓ ତାଙ୍କର ସହଯୋଗୀ ମାନସ ହତ୍ୟାକାଣ୍ଡ ବାବଦରେ ସ୍ୱୀକାର କରିଥିଲେ ।

ଆଜି ଅପରାହ୍ଣରେ ପୁଲିସ ମଧୁସୂଦନ ଏବଂ ମାନସ ଉଭୟଙ୍କୁ ଘଟଣାସ୍ଥଳକୁ ନେଇ ପୁଲିସ ସିନ ରିକ୍ରିଏସନ କରି ବ୍ୟବହୃତ ହୋଇଥିବା ଖଣ୍ଡା ଓ ଏସିଡ ବୋତଲକୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ପୋଖରୀରୁ ଜବତ କରିଥିବା ବେଳେ ଛୁରୀକୁ ବୁଦାରୁ ଜବତ କରାଯାଇଥିଲା ।

ଶୁକ୍ରବାର ସନ୍ଧ୍ୟାରେ ମୟୁରଭଞ୍ଜ ଏସପି ରିଷିକେଶ ଧ୍ୟାନଦେଓ ଖିଲାରୀ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଏହି ସମୟରେ ସଦର ଏସଡିପିଓ ଡ଼. ଶଶାଙ୍କ ଶେଖର ବେଉରା, ଆଇଆଇସି ସୁଜାତା ଖମାରୀଙ୍କ ସମେତ ସୋର ଥାନାର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking