ଭୁବନେଶ୍ୱର: ଚଳିତ ବର୍ଷ ୮ ଦିନ ବିଳମ୍ବରେ ଆରମ୍ଭ ହୋଇଛି ମୌସୁମୀ ଅପସାରଣ ପ୍ରକ୍ରିୟା । ସୋମବାର ଦିନଠାରୁ ଦକ୍ଷିଣ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ମୌସୁମୀ ଲେଉଟିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସାଧାରଣତଃ ସେପ୍ଟେମ୍ବର ୧୭ ତାରିଖ ମୌସୁମୀ ଫେରିବା ସମୟ ଅଟେ, କିନ୍ତୁ ଚଳିତ ବର୍ଷ ଏଥିରେ ବିଳମ୍ବ ହୋଇଛି ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ୮ ଦିନ ବିଳମ୍ବରେ ଅର୍ଥାତ୍ ଗତ ଜୁଲାଇ ୨ ତାରିଖରେ ଦେଶର ସବୁ ଅଞ୍ଚଳକୁ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ତେବେ ପ୍ରାୟ ୮୫ ଦିନ ପରେ ମୌସୁମୀ ଲେଉଟିବା ପ୍ରକିୟା ଆରମ୍ଭ ହୋଇଛି । ଏଥିସହ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଭାରତର କିଛି କିଛି ଅଞ୍ଚଳରୁ ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ଫେରିଯିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଆଗକୁ ଦେଶର ଅନ୍ୟ ଭାଗରୁ ମଧ୍ଯ ମୌସୁମୀ ବିଦାୟ ନେବ । ଅନ୍ୟପଟେ ଆସନ୍ତା ୨୯ ତାରିଖ ଆଡ଼କୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପରେ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ଥିବା ପୂର୍ବନୁମାନ କରାଯାଉଛି । ତେବେ ଏହା ଅବପାତରେ ସୀମିତ ରହିବ କି ନା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଲଘୁଚାପ ସୃଷ୍ଟି ପରେ ହିଁ ଏନେଇ କିଛି ସ୍ପଷ୍ଟତା ମିଳିପାରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମାନେ କହିଛନ୍ତି।