କିବ୍ : ଗତ ଡିସେମ୍ବର ମାସରେ ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଆମେରିକା ଗସ୍ତ କରିଥିଲେ । ଏହି ଅବସରରେ ୟୁକ୍ରେନକୁ ଶକ୍ତିଶାଳୀ ପାଟ୍ରିଅଟ୍ ମିସାଇଲ ସିଷ୍ଟମ ପ୍ରଦାନ କରିବା ସଂପର୍କରେ ଘୋଷଣା କରିଥିଲା ଆମେରିକା । ଏହି ଘୋଷଣା ଅନୁସାରେ ଆସନ୍ତା ସପ୍ତାହରୁ ୟୁକ୍ରେନ ସୈନ୍ୟଙ୍କ ତାଲିମ ଆରମ୍ଭ ହେବ । ପେଣ୍ଟାଗନର ସୂଚନା ଅନୁସାରେ ଓକଲାହାମାର ଫୋର୍ଟ ସିଲଠାରେ ପ୍ରାୟ ୧୦୦ ଜଣ ୟୁକ୍ରେନ ସୈନ୍ୟଙ୍କୁ ପାଟ୍ରିଅଟ ମିସାଇଲ ସିଷ୍ଟମ ଚାଳନା ପାଇଁ ତାଲିମ ଦିଆଯିବ । ଆସନ୍ତା ସପ୍ତାହରୁ ଏହି ତାଲିମ ଆରମ୍ଭ ହେବ । ଏହି ଫୋର୍ଟ ସିଲ ହେଉଛି ଆମେରିକା ସେନାର ୪ଟି ପ୍ରମୁଖ ତାଲିମ କେନ୍ଦ୍ର ମଧ୍ୟରୁ ଅନ୍ୟତମ ଓ ଏଠାରେ ଆର୍ଟିଲାରୀ ତାଲିମ ସ୍କୁଲ ମଧ୍ୟ ରହିଛି । ୟୁକ୍ରେନକୁ ପାଟ୍ରିଅଟ ସିଷ୍ଟମ ଦେବା ପରେ ରୁଷ-ୟୁକ୍ରେନ ଯୁଦ୍ଧରେ ଆମେରିକା ଖୋଲାଖୋଲିଭାବେ ଜଡ଼ିତ ହୋଇଯାଇଛି । ଏହି ମିସାଇଲ ଡିଫେନ୍ସ ସିଷ୍ଟମ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମିସାଇଲ ସିଷ୍ଟମ ହୋଇଥିବାରୁ ଏହା ୟୁକ୍ରେନର କ୍ଷମତା ବୃଦ୍ଧି କରିବା ଓ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ରୁଷ ମିସାଇଲ ଆକ୍ରମଣରୁ ସୁରକ୍ଷା ଦେବ । ଅନ୍ୟପକ୍ଷରେ ଏହା ରୁଷ ପାଇଁ ସମସ୍ୟା ସୃଷ୍ଟି କରିବ । କିନ୍ତୁ ରୁଷ ପାଖରେ ଥିବା ଅତ୍ୟାଧୁନିକ ହାଇପରସୋନିକ କ୍ଷେପଣାସ୍ତ୍ରକୁ ଏହା ଅଟକାଇ ପାରିବ କି ନା, ତାହାକୁ ନେଇ ବିଶେଷଜ୍ଞମାନେ ସନ୍ଦିହାନ ଅଛନ୍ତି ।