ଭୁବନେଶ୍ୱର: ଓଡିଶାରେ ତୃତୀୟ ଲହର ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡିଶାରେ କୋରୋନାର ପ୍ରଥମ ଓ ଦ୍ୱିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା । ଆଇସିଏମଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ, ତେବେ ଏହା ଖୁବଶୀଘ୍ର ଓଡିଶା ଆସିବ । ଫେବୃୟାରୀ ମାସ ଶେଷ ବେଳକୁ ଏହା ପିକ୍ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶରେ ଦିନକୁ ଦିନ ଓମିକ୍ରନ ମାମଲା ବଢିଚାଲିଛି । ଓଡିଶାରେ ମଧ୍ୟ ସଂଖ୍ୟା ୪ରୁ ୮କୁ ବୃଦ୍ଧି ପାଇଛି । ତୃତୀୟ ଲହରର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି ।
ସର୍ଭିଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟୀକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି । ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଶିଶୁ ବିଭାଗ, ଅକ୍ସିଜେନ ଓ ମେଡିସିନ ସମ୍ପୂର୍ଣ୍ଣ ଭାବେ ମହଜୁଦ ଅଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୬ଜଣ ଚିହ୍ନଟ ହୋଇଛନ୍ତି କୋରୋନା ଆକ୍ରାନ୍ତ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ରହିଥିବା ବେଳେ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୨ଓ ୫୧ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୩ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬, ଭଦ୍ରକରୁ ୩, କଟକରୁ ୬, ଗଞ୍ଜାମରୁ ୩, ଯାଜପୁରରୁ ୫, ଜଗତସିଂହପୁରରୁ ୨, ମୟୂରଭଞ୍ଜରୁ ୨, ନୟାଗଡରୁ ୧, ପୁରୀରୁ ୫, ସମ୍ବଲପୁରରୁ ୩, ଏବଂ ଷ୍ଟେଟପୁଲ ଆକ୍ରାନ୍ତଙ୍କ ସଂଖ୍ୟା୨୦ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୪,୧୬୦ରେ ପହଞ୍ଚିଛି । ୨୪ଘଣ୍ଟାରେ ୧୮୫ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ୧୦ଲକ୍ଷ ୪୪ହଜାର ୨୭୮ଜଣ ସୁସ୍ଥ ହୋଇଛନ୍ତି । ସେହିପରି ରାଜ୍ୟରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ହଜାର ୪୫୫ରେ ପହଞ୍ଚିଛି ।