ଭୁବନେଶ୍ୱର: ଲୋୟର ପିଏମ୍ଜିରେ ଗତ ୨୭ ତାରିଖଠାରୁ ଆରମ୍ଭ ହୋଇଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ବୁଧବାର ସ୍ଥଗିତ ହୋଇଛି । ଆଜି ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ପରେ ଶିକ୍ଷକ ମହାସଂଘ ଏହିଭଳି ନିଷ୍ପତ୍ତି ନେଇଛି । ତେବେ ଶିକ୍ଷକମାନଙ୍କ ୩ ଦଫା ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମୟସୀମା ଅନୁଯାୟୀ ୨୦ ତାରିଖ ମଧ୍ୟରେ ନିଷ୍ପତ୍ତି ନିଆ ନଗଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ସଂଘ ଚେତାବନୀ ଦେଇଛି । ଶିକ୍ଷକ ମହାସଂଘର ନିଷ୍ପତ୍ତି ପୂର୍ବରୁ ବୁଧବାର ଅପରାହ୍ନରେ ପ୍ରାଥମିକ ଶିକ୍ଷକ ସଂଘ ଏବଂ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ହୋଇଥିବା ନିଷ୍ୱତ୍ତି ଅନୁସାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏଥିରେ ଉନୟନ କମିସନର, ଅର୍ଥ ବିଭାଗ ସଚିବ ଏବଂ ଗଣଶିକ୍ଷା ବିଭାଗ ସଚିବ ରହିବେ ।
ଏହି କମିଟି ଆସନ୍ତା ଡିସେମ୍ବର ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଶିକ୍ଷକଙ୍କ ଦାବି ନେଇ ଆଲୋଚନା କରିବ ଏବଂ ନିଷ୍ପତ୍ତି ନେବ । ସୂଚନାଯୋଗ୍ୟ, ଗତ ରବିବାର ଠାରୁ ଶିକ୍ଷକମାନେ ୩ଦଫା ଦାବି ପୂରଣ ନେଇ ଜିଦ୍ରେ ଅଟଳ ଥିଲେ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାଜଧାନୀ ଛାଡ଼ିବେ ନାହିଁ କି ପିଲାଙ୍କ କ୍ଲାସ ନେବେନି ବୋଲି ଚେତାବନୀ ଦେଇଥିଲେ । ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଗୁରୁବାରଠାରୁ ସାମୂହିକ ଛୁଟିରେ ଯିବେ ବୋଲି ଧମକ ଦେଇଥିଲେ । ପିଲାଙ୍କ ପାଠପଢ଼ାରେ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶିକ୍ଷକମାନେ କହିଥିଲେ । ଆନ୍ଦୋଳନର ତୃତୀୟ ଦିନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ନେତାମାନଙ୍କ ଆଲୋଚନା ବିଫଳ ହେବା ପରେ ଏଭଳି ଚରମବାଣୀ ଶୁଣାଇଥିଲେ ।