27.1 C
Bhubaneswar
Friday, July 11, 2025
Homeଓଡିଶାମଧ୍ୟାହ୍ନ ଭୋଜନରେ ରନ୍ଧାଖାଦ୍ୟ ବଦଳରେ ଛାତ୍ରଛାତ୍ରୀଙ୍କୁ ମୁଢ଼ି ଦେଉଛନ୍ତି ଶିକ୍ଷକ

ମଧ୍ୟାହ୍ନ ଭୋଜନରେ ରନ୍ଧାଖାଦ୍ୟ ବଦଳରେ ଛାତ୍ରଛାତ୍ରୀଙ୍କୁ ମୁଢ଼ି ଦେଉଛନ୍ତି ଶିକ୍ଷକ

ମୟୁରଭଞ୍ଜ: 5T ସ୍କୁଲରେ ସତ୍ତା ହରାଉଛି 5T ସର୍ତ୍ତାବଳୀ। ମୁହଁ ଲୁଚାଉଛି ସରକାରୀ ଘୋଷିତ ନିୟମ। ଖୋଦ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲାରେ ସାମ୍ନାକୁ ଆସିଛି ମଧ୍ୟାହ୍ନ ଭୋଜନରେ ବ୍ୟତିକ୍ରମ ଭଳି ଘଟଣା। ସେହିପରି ବହୁପ୍ରଶଂସିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟାହ୍ନଭୋଜନ ମାର୍ଗଦର୍ଶିକାକୁ ବେଖାତିର କରି ଛାତ୍ରଛାତ୍ରୀଙ୍କୁ ନିଜ ସୁବିଧାରେ ସୁହାଇଲା ଭଳି ମଧ୍ୟାହ୍ନଭୋଜନ ପରିବେଷଣ କରୁଛନ୍ତି ଶିକ୍ଷକ। ଅସହାୟ ନିରୀହ ଛାତ୍ରଛାତ୍ରୀ ଭୋକ ମେଣ୍ଟାଇବା ପାଇଁ ଅସନ୍ତୋଷ ସତ୍ତ୍ୱେ ବିନା ପ୍ରତିବାଦରେ ଗ୍ରହଣ କରୁଛନ୍ତି ଶିକ୍ଷକଙ୍କ ଭୟରେ। ତେବେ ନିର୍ଦ୍ଦାରଣ ସରକାରୀ ନିୟମର ଉଲଂଘନ କରି ହରଡ଼ଘଣାରେ ଶିକ୍ଷକ।

ଏହି ଖାମଖିଆଲି ତଥା ବେଆଇନ ପଦକ୍ଷେପ ବିରୋଧରେ ବହୁପ୍ରଶଂସିତ ସରକାର ଏବଂ ସକ୍ରିୟ ପ୍ରଶାସନ ଆଗକୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାଉପରେ ସମସ୍ତଙ୍କ ନଜର। ସୂଚନାଯୋଗ୍ୟ, ସ୍କୁଲରେ ମଧ୍ୟାହ୍ନ ଭୋଜନରେ ରନ୍ଧାଖାଦ୍ୟ ବଦଳରେ ଛାତ୍ରଛାତ୍ରୀଙ୍କୁ ମୁଢ଼ି ଖାଇବାକୁ ଦେଉଛନ୍ତି ଶିକ୍ଷକ । ପଚାରିଲେ କହୁଛନ୍ତି ଏଥର ମୁଢ଼ି ଦେଉଛନ୍ତି ସରକାର। ଶିକ୍ଷକଙ୍କ ଏଭଳି ମନମୁଖୀ କାର୍ଯ୍ୟ ସାଙ୍ଗକୁ ଖାମଖିଆଲି ଉତ୍ତର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଅଭିଭାବକଙ୍କୁ ସନ୍ଦେହରେ ପକାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଆଗରିଆ ଅଞ୍ଚଳରେ ଥିବା ବ୍ରହ୍ମପୁରା 5t ଅନ୍ତର୍ଭୁକ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ। ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ଗତ ୨୧ ତାରିଖରୁ ଖୋଲାଯାଇଛି।

ତେଣୁ ସ୍କୁଲ ଖୋଲିବା ମାତ୍ରେ ସ୍କୁଲ ମାନଙ୍କରେ ସମସ୍ତ କାର୍ଯ୍ୟ ସଠିକ ଭାବରେ ତୁଲାଇବା ସ୍କୁଲର ପ୍ରଧାନଶିକ୍ଷକ ଏବଂ ବିଭିନ୍ନ ଦାୟିତ୍ୱରେ ଥିବା ଶିକ୍ଷକ ତାଙ୍କର ଦାୟିତ୍ୱ ସରକାରୀ ବ୍ୟବସ୍ଥା ଅନୁଯାୟୀ ସମ୍ପୂର୍ଣ୍ଣ କରିବା ସେମାନଙ୍କର କର୍ତ୍ତବ୍ୟ। ହେଲେ ଏଠାରେ କିଛି ଦାୟିତ୍ୱହୀନ ଶିକ୍ଷକ ସରକାରୀ ଚାକିରୀକୁ ଅବମାନନା କରିବା ସହ ଏହାକୁ ନିଜର ପୈତୃକ ସମ୍ପତ୍ତି ଭାବି ଛତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସହ ଖେଳ ଖେଳୁଛନ୍ତି। ଆଉ ସରକାରଙ୍କ ନାଁ ନେଇ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ମଧ୍ୟ ଛାଡୁନାହାନ୍ତି । ଅଭିଭାବକ ମନେ ମଧ୍ୟାହ୍ନଭୋଜନ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଫୋନ କରି ଏବିଷୟରେ ପଚାରିବାରୁ ଶିକ୍ଷକ ଜଣକ ସରକାର ଏବେ ପିଲାଙ୍କୁ ମୁଢ଼ି ଖାଇବାକୁ ଦେଉଛନ୍ତି ବୋଲି କହି ଏବେ ଅଡୁଆରେ ପଡିଛନ୍ତି। ତେବେ ସ୍କୁଲ ଖୋଲିବା ଦିନଠାରୁ ଆଜିକୁ ୪ ଦିନ ହେଲା ଏଠାରେ ଛାତ୍ରଛାତ୍ରୀଙ୍କୁ ମୁଢ଼ି ଖାଇବାକୁ ଦିଆଯାଉଛି। ଆଜି ଚାଉଳ ଥାଇ ମଧ୍ୟ ରନ୍ଧାଖାଦ୍ୟ ଯୋଗାଇ ଦେବା ବଦଳରେ ମୁଢ଼ି ଖାଉଛନ୍ତି ଛତ୍ରଛାତ୍ରୀ । ତେବେ କାହାର ଇଙ୍ଗିତରେ ଏକ 5t ସ୍କୁଲରେ ମନମୁଖୀ ଶାସନ ଚଳାଇଛନ୍ତି ଶିକ୍ଷକ ତାହା ଏବେ ତଦନ୍ତ ସାପେକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking