31.1 C
Bhubaneswar
Sunday, October 20, 2024
Homeଓଡିଶାପଦାରେ ପଡିଲା ପ୍ରଦୀପଙ୍କ କଳଙ୍କିତ ଚରିତ୍ର; ସେବା ନାଁରେ ନିଜ ସ୍ୱାର୍ଥ ସାଧନ କରୁଥିଲେ

ପଦାରେ ପଡିଲା ପ୍ରଦୀପଙ୍କ କଳଙ୍କିତ ଚରିତ୍ର; ସେବା ନାଁରେ ନିଜ ସ୍ୱାର୍ଥ ସାଧନ କରୁଥିଲେ

ବ୍ରହ୍ମପୁର: କୋଭିଡ ମହାମାରି ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାହୁଁନଥିଲେ ପ୍ରବାସୀ ଓଡିଆ ଗଞ୍ଜାମ ଫେରନ୍ତୁ । ସେ ନିଜ ନିଜ ଜିଲ୍ଲା ଲୋକଙ୍କ ଶତ୍ରୁ ସାଜିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ ଅସଲ ଚରିତ୍ର କଣ ତାହା ଆଜି ଗୋପାଳପୁରବାସୀ ଜାଣିଯାଇଛନ୍ତି । ତିନି ଦିନିଆ ଗଞ୍ଜାମ ଗସ୍ତର ପ୍ରଥମ ଦିନରେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବାଲାଜୀ ବୈଦ୍ୟନାଥ ପଡିଆରେ ଆଜି ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି ସଚିବ ଭି. କେ ପାଣ୍ଡିଆନ ସମସ୍ତଙ୍କୁ ସେବା ମନୋବୃତି ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ନନେଇ ଗଞ୍ଜାମ ଜିଲ୍ଲାର ଜଣେ ଜନପ୍ରତିନିଧି କିପରି ମହାମାରି ସମୟରେ ପ୍ରବାସୀ ଓଡିଆ ନିଜ ଘରକୁ ଫେରିନପାରିବେ ସେନେଇ ଚକ୍ରବ୍ୟୁହ ରଚନା କରିଥିଲେ ତାହା ଗୋପାଳପୁରବାସୀଙ୍କୁ ଜଣାଇଥିଲେ ।

ସେବା ନାଁରେ ଲୋକଙ୍କୁ ଠକୁଥିବା ସେହି ଜନପ୍ରତିନଧି ଆଜି ତାର ପରିଣାମ ମଧ୍ୟ ଭୋଗୁଛନ୍ତି । ୫- ଟି ସଚିବ ନିଜ ବକ୍ତବ୍ୟରେ କାହା ନାଁ ନେଇନଥିଲେ ମଧ୍ୟ ତାହା ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସ୍ପଷ୍ଟ ବାରି ହେଉଥିଲା । କୋଭିଡ ବେଳେ ରାଜ୍ୟ ବାହାରେ ବହୁ ଓଡିଆ ଲୋକ ଫସିରହିଥିଲେ । ସେମାନେ ନିଜ ନିଜ ଘରକୁ ଫେରିପାରୁ ନଥିଲେ । ଏଥିପାଇଁ ସେମାନେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ । ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଫେରାଇଆଣିବାର ଦାୟିତ୍ୱ ନେଇଥିଲେ । ଏବାବଦ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ହେଲେ ଏହି ଜନପ୍ରତିନିଧି ଜଣକ ଏଭଳି ଏକ ଜଟିଳ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟେଲିଫୋନ କରି ରାଜ୍ୟ ବାହାର ଲୋକଙ୍କୁ ଗଂଜାମ ଫେରାଇ ନଆଣିବାକୁ କହିଥିଲେ । କାରଣ ସେମାନେ ଫେରିଲେ ଗଂଜାମର ସ୍ଥିତି ସଂଗୀନ ହୋଇଯିବ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ଆଗ ଆମେ ବଞ୍ଚିବା, ପରେ ଅନ୍ୟମାନଙ୍କ କଥା ଚିନ୍ତା କରିବେ ବୋଲି କହିଥିଲେ ।

ଏଭଳି ସ୍ୱାର୍ଥପର ଜନପ୍ରତିନିଧିଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ ହୋଇଥିବା ୫- ଟି ସଚିବ କହିଥିଲେ । ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କିଛି ଉତ୍ତର ଦେଇନଥିଲେ ବି ଆମକୁ ସେବା ମନୋବୃତ୍ତିର ସହ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିସ୍ୱାର୍ଥପର ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଉଥିବା ଲୋକ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ଭାବିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ୱାର୍ଥ ପାଇଁ ସେବା କଲେ ଭଗବାନ ରୁଷ୍ଟ ହୋଇଥାନ୍ତି । ସମ୍ପୃକ୍ତ ଜନପ୍ରତିନିଧି କିନ୍ତୁ ନିଜ ସ୍ୱାର୍ଥ ସାଧନ ପାଇଁ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅପପ୍ରଚାର କରି ଲୋକଙ୍କ ଆତ୍ମବିଶ୍ୱାସ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।

ବିଧାୟକଙ୍କ ଏଭଳି ଅପପ୍ରଚାର ଦ୍ୱାରା କୋଭିଡ ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ ଓ ମିଶନ ଶକ୍ତି ମା’ମାନେ ବିଚଳିତ ହୋଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ସିଧାସଳଖ ସେମାନଙ୍କ ସହ ଭିଡିଓ କନଫରେନସିଂରେ କଥା ହୋଇଥିଲେ । ମା ମାନଙ୍କ ସହଯୋଗ ଓ ମା ତାରାତାରିଣୀଙ୍କ ଆଶୀର୍ବାଦରୁ କୋଭିଡ ମୁକାବିଲାରେ ଗଞ୍ଜାମ ଦେଶରେ ସୁନାମ ଅର୍ଜନ କରିଛି । ବିଧାୟକ ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ସେବାରେ ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରିବାରୁ ଭଗବାନ ତାର ଫଳ ତାଙ୍କୁ ଦେଇଛନ୍ତି । ଏହା ସମସ୍ତଙ୍କ ପାଇଁ ଏକ ଶିକ୍ଷା । ଯିଏ ବି ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ସେବାରେ ବ୍ୟାଘାତ ସୃଷ୍ଟି କରନ୍ତି, ତାର ବିଚାର ଭଗବାନ କରିବେ ବୋଲି ୫- ଟି ସଚିବ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking