ନୂଆଦିଲ୍ଲୀ : ଚଳିତମାସ ୧୫ରେ (ଶୁକ୍ରବାର) ସୁପ୍ରିମକୋର୍ଟରେ ଅଗ୍ନିପଥ୍ ମାମଲାର ଶୁଣାଣି କରାଯିବ ବୋଲି ଜଣାପଡିଛି । ପ୍ରତିରକ୍ଷା ବିଭାଗର ତିନି ବାହିନୀରେ ୪ ବର୍ଷିୟା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଗତ ଜୁନରେ ଘୋଷଣା କରିଥିଲେ । ଏହାକୁ ବିରୋଧ କରି ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅଧିକାଂଶ ସ୍ଥାନରେ ହିଂସାକାଣ୍ଡର ସୂତ୍ରପାତ ମଧ୍ୟ ହୋଇଥିଲା । କେନ୍ଦ୍ର ସରକାର ଏହି ଯୋଜନାରେ କେତେକ ସଂଶୋଧନ କରିଥିଲେ ସୁଦ୍ଧା ପ୍ରତିବାଦର ସ୍ୱର ଥମିନଥିଲା ।
ଏହି ଯୋଜନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଛି । ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ ଏ.ଏସ.ବୋପନ୍ନାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପ୍ରତିରକ୍ଷା ବାହିନୀରେ ସଂସ୍କାର ଆଣିବାକୁ ଏଭଳି ଯୋଜନା ବହୁପୂର୍ବରୁ ପ୍ରସ୍ତୁତ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଇତିମଧ୍ୟରେ ତିନି ବାହିନୀରେ ‘ଅଗ୍ନିବୀର’ ନିଯୁକ୍ତି ପାଇଁ ଲକ୍ଷାଧିକ ଆଶାୟୀ ଆବେଦନ କରିସାରିଲେଣି ।