28.1 C
Bhubaneswar
Saturday, July 27, 2024
Homeଓଡିଶାବଢୁଛି ଗ୍ରୀଷ୍ମପ୍ରବାହ; ଜିଲ୍ଲାପାଳଙ୍କୁ ମାର୍ଗଦର୍ଶିକା ଜାରି କଲେ ଏସ୍‌ଆରସି

ବଢୁଛି ଗ୍ରୀଷ୍ମପ୍ରବାହ; ଜିଲ୍ଲାପାଳଙ୍କୁ ମାର୍ଗଦର୍ଶିକା ଜାରି କଲେ ଏସ୍‌ଆରସି

ଭୁବନେଶ୍ୱର: ମାଘ ମାସରେ ଶୀତ ବଦଳରେ ତାପମାତ୍ରା ବଢ଼ି ଚାଲିଛି । ତେବେ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନ(ଏସ୍‌ଆରସି)ର ସତ୍ୟବ୍ରତ ସାହୁ ଏହି ମର୍ମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି । ତଦନୁଯାୟୀ ଗ୍ରୀଷ୍ମ ପ୍ରବାହଜନିତ ବିପଦ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ବିପଦ ଚିହ୍ନଟ କରିବା, ଉକ୍ତ ବିପଦରୁ ମଣିଷ ଓ ପଶୁପକ୍ଷୀଙ୍କୁ ରକ୍ଷା କରିବା ପାଇଁ କ’ଣ କରିବେ ଓ କ’ଣ କରିବେ ନାହିଁ ଏବଂ ଯଦି କେହି ପ୍ରଭାବିତ ହୁଅନ୍ତି ତେବେ କ’ଣ କରିବେ ସେ ନେଇ ତୁରନ୍ତ ସଚେତନତା ଅଭିଯାନ ଆରମ୍ଭ କରାଯିବାକୁ କହିଛନ୍ତି ।

ସେହିପରି ନାଗରିକ ସମାଜ ସଂଗଠନଗୁଡ଼ିକକୁ ସଚେତନତା ଅଭିଯାନରେ ବ୍ୟାପକ ଭାବରେ ସାମିଲ କରାଯିବ । ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ବାର୍ତ୍ତା ମିଳିବା ପରେ ଯୋଗାଯୋଗର ଅନ୍ୟାନ୍ୟ ମାଧ୍ୟମ ବ୍ୟତୀତ ସ୍ଥାନୀୟ ଗଣମାଧ୍ୟମ ମାଧ୍ୟମରେ ଜନସାଧାରଣଙ୍କୁ ସତର୍କ କରାଯିବ । ପାଣିର ଅଭାବ ଅନେକ ସମୟରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସହିତ ଜଡିତ ହୋଇଥାଏ ଯାହା ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଜିଲ୍ଲା ପ୍ରଶାସନ ଜଳ ଅଭାବ ଥିବା ଅଞ୍ଚଳକୁ ଚିହ୍ନଟ କରିବା ଏବଂ ସେହି ଅଞ୍ଚଳକୁ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଆଗୁଆ ପଦକ୍ଷେପ ନେବାକୁ କୁହାଯାଇଛି ।  ନଳକୂପ ଓ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ପ୍ରତିଷେଧକ ଓ ରକ୍ଷଣାବେକ୍ଷଣ ତୁରନ୍ତ ଆରମ୍ଭ ହେବା ଦରକାର । ନଳକୂପ ଓ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କିତ ଅଭିଯୋଗର ସମାଧାନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ।

ଆବଶ୍ୟକତା ଅନୁଯାୟୀ ଜଳଭଣ୍ଡାରରୁ କେନାଲ ମାଧ୍ୟମରେ ଜଳ ଛାଡିବା ପାଇଁ ଜଳସମ୍ପଦ ବିଭାଗ ପଦକ୍ଷେପ ଗ୍ରହଣ କରିବେ । ବଜାର ସ୍ଥାନ, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସମାବେଶ ସ୍ଥଳରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା/ଗ୍ରାମ ପଞ୍ଚାୟତ ପକ୍ଷରୁ ପାନୀୟଜଳ ସେବାକେନ୍ଦ୍ର ଖୋଲାଯିବ । ଏଥିରେ ଯୋଗାଇ ଦିଆଯାଉଥିବା ପାଣିର ଗୁଣବତ୍ତା ଏବଂ ଉପଯୁକ୍ତ ପରିମଳ ବ୍ୟବସ୍ଥାର ଯାଞ୍ଚ କରାଯିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ସହରାଞ୍ଚଳ ଆଶ୍ରୟସ୍ଥଳୀ, ଗୋଷ୍ଠୀ କେନ୍ଦ୍ର ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନଗୁଡ଼ିକୁ ବାସହୀନ/ ଅସହାୟ ଲୋକଙ୍କ ପାଇଁ ଦିନ ସମୟରେ ବିଶ୍ରାମ ପାଇଁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ । ଯଥାସମ୍ଭବ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇପାରେ । ଆଶ୍ରୟସ୍ଥଳୀଗୁଡ଼ିକରେ ଲୋକଙ୍କ ପାଇଁ ନିରାପଦ ପାନୀୟ ଜଳ ଓ ଓଆରଏସ୍‌? ବ୍ୟବସ୍ଥା କରାଯିବ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏ ସଂକ୍ରାନ୍ତରେ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିବେ ।

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଗ୍ରୀଷ୍ମ ଋତୁରେ ପଶୁମାନଙ୍କର ଯତ୍ନ ପାଇଁ ସତର୍କ ସୂଚନା ଜାରି କରିବା ସହ ଜନସଚେତନତା ଦିଗରେ କାର୍ଯ୍ୟ କରିବେ । ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରାଯିବ । ଆବଶ୍ୟକସ୍ଥଳେ ବିଦ୍ୟାଳୟ ପରିସରରେ ଥିବା ନଳକୂପ ମରାମତି କରାଯାଇ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯାଇପାରିବ । ସ୍କୁଲ ଓ କଲେଜରେ ପର୍ଯ୍ୟାପ୍ତ ଓଆରଏସ୍ ରଖାଯିବା ସହ ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀ/କର୍ମଚାରୀଙ୍କୁ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀ ଯେପରି ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆଉଟଡୋର କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉପରୋକ୍ତ ବିଷୟଉପରେ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିପାରିବେ । ଅଙ୍ଗନୱାଡି କେନ୍ଦ୍ର କେବଳ ସକାଳ ସମୟରେ ଖୋଲା ରହିବ ଓ ପାଣିର ଉପଲବ୍ଧତା ଯାଞ୍ଚ ଏବଂ ସୁନିଶ୍ଚିତ କରାଯିବ । ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ପାଖରେ ପର୍ଯ୍ୟାପ୍ତ ଓଆରଏସ୍ ପ୍ୟାକେଟ୍ ମଧ୍ୟ ଉପଲବ୍ଧ ହେବ ।

ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିସପେନ୍ସରୀ, ପିଏଚ୍‌ସି, ସିଏଚ୍‌ସି ଏବଂ ଉପଖଣ୍ଡ/ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଜୀବନ ରକ୍ଷାକାରୀ ଔଷଧ, ସାଲାଇନ୍‌, ଓଆରଏସ୍ ସଂରକ୍ଷଣ କରାଯିବ । ବିଭିନ୍ନ ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଅଲଗା ଅଲଗା ୱାର୍ଡ/ ଶଯ୍ୟା ବ୍ୟବସ୍ଥା କରାଯିବ । ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଇଏସ୍‌ଆଇ ଡିସପେନସରିଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ । କାର୍ଯ୍ୟସ୍ଥଳୀରେ ଶ୍ରମିକଙ୍କ ନିୟୋଜିତ ହେବାର ସମୟ ପରିବର୍ତ୍ତନ କରାଯାଇପାରିବ । କାର୍ଯ୍ୟସ୍ଥଳୀରେ ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ଓ ବିଶ୍ରାମଗାରର ବ୍ୟବସ୍ଥା ପାଇଁ ନିଯୁକ୍ତିଦାତାମାନେ ଆବଶ୍ୟକ ବ୍ୟବସ୍ଥା କରିବେ । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏ ସଂକ୍ରାନ୍ତରେ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିପାରିବେ । ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ବଜାୟ ରଖିବା ପାଇଁ ଶକ୍ତି ବିଭାଗ ବିତରଣ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଜାରି କରିବ । ଯଦି କିଛି କ୍ଷେତ୍ରରେ ଲୋଡ୍ ସେଡିଂ ଅତ୍ୟନ୍ତ ଜରୁରୀ, ତେବେ ଉପଭୋକ୍ତାଙ୍କ ସୂଚନା ପାଇଁ ସମୟସୂଚୀ ଯଥେଷ୍ଟ ଆଗୁଆ ଘୋଷଣା କରାଯିବା ଆବଶ୍ୟକ । ଆଭ୍ୟନ୍ତରୀଣ ବାୟୁମଣ୍ଡଳୀୟ ତାପମାତ୍ରା ହ୍ରାସ କରିବା ପାଇଁ ଛାତରେ ଧଳା ରଙ୍ଗ ଲଗାଇବା ଉପରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ଗ୍ରୀଷ୍ମ ପ୍ରବାହ ସମୟରେ ରାଜ୍ୟ ଓ ଜିଲ୍ଲାସ୍ତରରେ ଥିବା କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟିଆ କାର୍ଯ୍ୟ କରିବ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଯେପରି କୌଣସି ଜୀବନହାନୀ ନ ହୁଏ ସେଥିପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବ । ତେବେ ଯଦି ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳେ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶିତ ହୁଏ, ତେବେ ତୁରନ୍ତ ଏହାର ତଦନ୍ତ କରାଯାଇ ଏଭଳି ରିପୋର୍ଟର ସତ୍ୟତା ତୁରନ୍ତ ଏସ୍‌ଆରସିଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି । କାର୍ଯ୍ୟସ୍ଥଳରେ କିମ୍ବା ଅନ୍ୟ କୌଣସି ଅଞ୍ଚଳରେ ଅଂଶୁଘାତ ଯୋଗୁଁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ସମ୍ପର୍କିତ ରିପୋର୍ଟ ମିଳିଲେ ଜିଲ୍ଲାପାଳ ସ୍ଥାନୀୟ ରାଜସ୍ୱ ଅଧିକାରୀ ଯଥା ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାର (ଗ୍ରାମାଞ୍ଚଳରେ) କିମ୍ବା ସହରାଞ୍ଚଳର ଅନ୍ୟ କୌଣସି ରାଜସ୍ୱ ଅଧିକାରୀ (ସମ୍ପୃକ୍ତ ଉପଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦିତ) ଏବଂ ସ୍ଥାନୀୟ ଚିକିତ୍ସା ଅଧିକାରୀ (ସିଡିଏମଓ/ଏସଡିଏମଓଙ୍କ ଦ୍ୱାରା ମନୋନୀତ) ଦ୍ୱାରା ଏହି ମାମଲାର ତୁରନ୍ତ ମିଳିତ ତଦନ୍ତ କରିବାର ବ୍ୟବସ୍ଥା କରିବେ । ଜିଲ୍ଲାପାଳଙ୍କ ମତାମତ ସହ ମିଳିତ ତଦନ୍ତ ରିପୋର୍ଟ ମୃତ୍ୟୁର ୪୮ ଘଣ୍ଟା ମଧ୍ୟରେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଦରକାର ବୋଲି ଉକ୍ତ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking