ଉତ୍ତରାଖଣ୍ଡର ତେହେରିଠାରେ ଅନୁଷ୍ଠିତ ୨୫ତମ ସର୍ବଭାରତୀୟ ପୋଲିସ ୱାଟର ସ୍ପୋର୍ଟସ କ୍ଲଷ୍ଟର (କାୟାକିଙ୍ଗ, କାନୋଇଂ ଏବଂ ରୋଇଂ) ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ଏହି ଅବସରରେ ସଫଳ କ୍ରୀଡ଼ାବିତମାନେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଡିଜିପି ଶ୍ରୀ ଖୁରାନିଆ ସମସ୍ତ ପଦକ ବିଜେତାଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର କ୍ରୀଡ଼ା ନୈପୁଣ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି ଯେ, ୱାଟର ସ୍ପୋର୍ଟସ କ୍ଷେତ୍ରରେ ଓଡ଼ିଶା ପୋଲିସର ଏହି ସଫଳତା ଆଗାମୀ ଦିନରେ ଅନ୍ୟ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣା ସାଜିବ।
ଉଲ୍ଲେଖଯୋଗ୍ୟ ଯେ, ଗତ ଏପ୍ରିଲ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ଦଳ ସମୁଦାୟ ୨ଟି ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ପଦକ ହାସଲ କରିଛି। ରୋଇଂ ଏବଂ କାନୋଇଂ ଭଳି ପ୍ରତିଯୋଗିତାରେ ଓଡ଼ିଶାର ମହିଳା କ୍ରୀଡ଼ାବିତମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।
ପଦକ ବିଜେତାଙ୍କ ସଫଳତା:
• ରିତୁ କାଉଡି (ସୁନ୍ଦରଗଡ଼): ରୋଇଂ ୫୦୦ ମିଟରରେ ରୌପ୍ୟ ଏବଂ ୨୦୦୦ ମିଟରରେ ବ୍ରୋଞ୍ଜ ପଦକ।
• ସୋନାଲିକା ଦାସ (ୟୁପିଡି କଟକ): ରୋଇଂ ୫୦୦ ମିଟରରେ ରୌପ୍ୟ ଏବଂ ୨୦୦୦ ମିଟରରେ ବ୍ରୋଞ୍ଜ ପଦକ।
• ସଚିମା କେର୍କେଟା (ସୁନ୍ଦରଗଡ଼): କାନୋଇଂ C-1 (୨୦୦ ମିଟର) ରେ ବ୍ରୋଞ୍ଜ ପଦକ।
• ସଞ୍ଜୁକ୍ତା ଡୁଙ୍ଗଡୁଙ୍ଗ (କଟକ) , ରେଶମା ଲାକ୍ରା (ସୁନ୍ଦରଗଡ଼), ରିଚେଲ ଲାକ୍ରା (ସୁନ୍ଦରଗଡ଼) ଏବଂ ସୁମିତ୍ରା ମଲ୍ଲିକ(କଟକ): ରୋଇଙ୍ଗ (Coxless Four ୫୦୦ ମିଟର) ବର୍ଗରେ ମିଳିତ ଭାବେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।










