ଭୁବନେଶ୍ୱର: ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହେବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପର୍ଯ୍ୟ୍ୟନ୍ତ ଜାରି ରହିବ। ତେବେ ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ଲାଗି ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସମ୍ମେଟିଭ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ ୧୦ ଜାନୁୟାରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ମଙ୍ଗଳବାର ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପ୍ରାୟ ୨୭ ହଜାର ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ସ୍କୁଲ । ଯେଉଁଥିପାଇଁ ପିଲାମାନେ ଘରେ ରହିଛନ୍ତି ।
କରୋନାର ପ୍ରକୋପ କମିବା ପରେ ରାଜ୍ୟ ସରକାର ଅନ୍ଲାଇନ୍ରେ ପାଠ ପଢ଼ାଇବାର ବ୍ୟବସ୍ଥା କରିଥିଲେ । ମାତ୍ର ଏହି ବ୍ୟବସ୍ଥା ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିଲା ନାହିଁ । ଗତ ନଭେମ୍ବର ୧୫ ତାରିଖରେ ଷଷ୍ଠ-ସପ୍ତମ ଶ୍ରେଣୀ ପାଇଁ ସ୍କୁଲ ଖୋଲିଥିଲା । ସକାଳ ୯ଟା ୩୦ରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ କ୍ଲାସ୍ ହେଉଛି । ତା’ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ବି ଖୋଲିଛି । ଅଧିକାଂଶ ସ୍କୁଲରେ ପାଠପଢ଼ା ଠିକ୍ଠାକ୍ ଚାଲିଥିବା ବେଳେ କେତେକ ଆବାସିକ ସ୍କୁଲରେ କୋଭିଡ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସ୍କୁଲଗୁଡ଼ିକରେ କୋଭିଡ ଗାଇଡଲାଇନ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ଅପରପକ୍ଷରେ ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଜାରିହୋଇଛି ମାର୍ଗଦର୍ଶିକା । ଏନେଇ ଗଣଶିକ୍ଷା ବିଭାଗର ସଚିବ ସତ୍ୟବ୍ରତ ସାହୁ ଓସେପା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ।
ସମ୍ପୃକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ ଛାତ୍ରଛାତ୍ରୀ ଚାହିଁଲେ ଅନଲାଇନରେ ପାଠ ପଢ଼ି ପାରିବେ । ଶ୍ରେଣୀ ଶିକ୍ଷା ଦାନ ଲାଗି ଅଭିଭାବକଙ୍କ ଅନୁମତିପତ୍ର ବାଧ୍ୟତାମୂଳକ କରାଯିବ । ଶ୍ରେଣୀଗୃହ ପାଠପଢ଼ା ଉପସ୍ଥାପନ ବାଧ୍ୟତାମୂଳକ ନୁହେଁ । ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୫ ଜଣ ଛାତ୍ରଛାତ୍ରୀ ବସି ପାରିବେ । ସବୁ କ୍ଲାସରୁମକୁ ସଠିକ୍ ଭାବେ ସାନିଟାଇଜ୍ କରାଯିବ । କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ ଫୁଟ୍ ଦୂରତା ରହିବ । ଗୋଟିଏ ଛାତ୍ର ଗୋଟିଏ ବେଞ୍ଚ ଆଧାରରେ ଚାଲିବ କ୍ଲାସ । ସ୍କୁଲ ପରିସରରେ ସମସ୍ତଙ୍କ ପାଇଁ ମାସ୍କ ପରିଧାନ ସହ ଆଇସୋଲେସନ ରୁମ୍ ବାଧ୍ୟତାମୂଳକ କରାଯାଇଛି । ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ୍ ପରିଦର୍ଶନ କରିବା ସହ କୋଭିଡ୍ ନିୟମାବଳୀର ନିୟମିତ ସମୀକ୍ଷା କରିବେ ଶିକ୍ଷା ଅଧିକାରୀ ।
ଅନ୍ୟପଟେ ସ୍କୁଲ ପରିବହନ ବ୍ୟବସ୍ଥା ବଦଳରେ ଅଭିଭାବକ ନିଜେ ପିଲାଙ୍କୁ ସ୍କୁଲ ନେବା ଆଣିବା କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ୫୦% କ୍ଷମତାରେ ସ୍କୁଲ ବସ୍ ଚଲାଇବାକୁ ଏସଓପିରେ କୁହାଯାଇଛି । ସ୍କୁଲରେ ହାତଧୁଆ ବ୍ୟବସ୍ଥା ରହିବା ସହ ଡିଜିଟାଲ ଥର୍ମୋମିଟର ରହିବ । କଣ୍ଟେନମେଣ୍ଟ ଜୋନରେ ଥିବା ବିଦ୍ୟାଳୟ ଖୋଲିବ ନାହିଁ । ବିଦ୍ୟାଳୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ହେଲପଲାଇନ୍ ନମ୍ବର ସହ ସ୍ଥାନୀୟ ଚିକିତ୍ସା କର୍ତ୍ତୃପକ୍ଷଙ୍କ ନମ୍ବର ଲେଖାଯିବ । ଭିଡ଼କୁ ଏଡ଼ାଇବା ଲାଗି ସ୍କୁଲରେ କୌଣସି ଖେଳ କିମ୍ବା କାର୍ଯ୍ୟକ୍ରମ ହେବ ନାହିଁ । ବୁଲା ବିକାଳି ସ୍କୁଲ୍ ପରିସରରେ ପ୍ରବେଶ କରିପାରିବେ ନାହିଁ । ଜଣେ ଶିକ୍ଷକ ଓ ଜଣେ ସ୍କୁଲ୍ କମିଟି ସଦସ୍ୟଙ୍କୁ ନେଇ କୋଭିଡ୍ ମନିଟରିଂ ଟିମ୍ ଗଠନ କରାଯିବ । ସେହିପରି ଶ୍ରେଣୀରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ କୋଭିଡ ନିୟମ ପାଳନ ସମ୍ପର୍କରେ ସ୍କୁଲର କର୍ତ୍ତୃପକ୍ଷ ଅବଗତ କରିବା ବାଧ୍ୟତାମୂଳକ ବୋଲି ଏସ୍ଓପିରେ ଦର୍ଶାଯାଇଛି ।