ବାପା ଛାତିରେ ଛୁରୀ ଭୁଷିଲା
ଆସିକା : ପୁଅ ସାଜିଲା ପିଶାଚ । ଯେଉଁ ବାପା ହାତ ଧରି ବାଟ ଚାଲିବା ଶିଖାଇଥିଲା, ତାକୁ ହିଁ ନିପାତ କଲା । ନିଶାସକ୍ତ ହୋଇ ହିତାହିତ ଜ୍ଞାନ ଭୁଲି ସାରିଥିବା ପୁଅ ସାଜିଲା ସଇତାନ । ନିଜ ହାତରେ ନିଜ ବାପାକୁ ଛୁରୀ ଭୁଷି ଦେଲା । ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ପଢାଲ ଗ୍ରାମରେ ଘଟିଛି । ମୃତକ ହେଲେ ଦେବରାଜ ନାହାକ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପୁଅ ଅରୁଣ ନାହାକୁ ପୁଲିସ ଗିରଫ କରିଛି । ପ୍ରକାଶ ଯେ ଗତ ରାତିରେ ଅରୁଣ ନିଶାସକ୍ତ ଅବସ୍ଥାରେ ପ୍ରଥମେ ପରିବାରର ମା, ଭଉଣୀଙ୍କୁ ଆକ୍ରମଣ କରିଥିଲା । ଏଥିକୁ ଦେବରାଜ ବିରୋଧ କରିବାରୁ ଅରୁଣ ଉତ୍ତ୍ୟେକ୍ତ ହୋଇପଡ଼ିଥିଲା । ଉତ୍ତେଜିତ ହୋଇ ସେ ଗୋଟିଏ ଛୁରୀରେ ବାପା ଦେବରାଜଙ୍କ ଗୋଟିଏ ହାତକୁ ଆକ୍ରମଣ କରି ତଳେ ପକାଇ ଦେଇଥିଲା ।
ପରେ ଛାତିରେ ଛୁରୀ ଭୁଷି ଫେରାର ହୋଇଯାଇଥିଲ । ଗୁରୁତର ଦେବରାଜଙ୍କୁ ପରିବାର ଲୋକେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆସିକା ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ କରିଥିବାବେଳେ ଆଜି ସାଇଣ୍ଟିଫିକ୍ ଟିମ ପହଞ୍ôଚ ଛାନ୍ବିନ୍ କରିଥିଲା । ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଘଟଣା ନେଇ ଆସିକା ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଅରୁଣକୁ ପୁଲିସ୍ ଗିରଫ କରିବା ସହ ତା’ ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଛୁରୀ ଜବତ କରିଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ବାପାକୁ ପିଟି ମାରିଲା
ବଣାଇ: ବାପାକୁ ପିଟି ହତ୍ୟା କଲା ପୁଅ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ଉକ୍ତ ଗ୍ରାମର ଭୁବନ ମୁଣ୍ଡା ବୋଲି ଜଣାଯାଇଛି । ସୂଚନା ମୁତାବକ, ପୁଅ ଆକାଶ ମୁଣ୍ଡା ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲା । ଅପରାହ୍ଣରେ ଘରକୁ ଫେରିବା ପରେ ଛେଳି ଗଣିବା ବେଳେ ଭୁବନ ଗୋଟିଏ ଛେଳି କମ୍ ଥିବା ଦେଖିବାକୁ ପାଇଥିଲେ । ଛେଳି ହଜି ଯିବାକୁ ନେଇ ଆକାଶକୁ ବାପା ଭୁବନ ମୁଣ୍ଡା ତାଗିଦ୍ କରିଥିଲେ । ଯାହାକୁ ଦେଇ ଦୁଇ ଜଣକ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଆକାଶ ରାଗି ଯାଇ ଏକ ବାଡ଼ି ଆଣି ବାପା ଭୁବନଙ୍କୁ ପିଟିଥିଲା । ସାହିପଡ଼ିଶା ଲୋକେ ଘଟଣାସ୍ଥଳରେ ପହଞ୍ଚି ଆକାଶକୁ କାବୁ କରିଥିଲେ । ପରେ ଗୁରୁତର ଭୁବନଙ୍କୁ ଉଦ୍ଧାର କରି ଲହୁଣୀପଡ଼ା ଡାକ୍ତରଖାନକୁ ନେଇଥିଲେ । ସେଠାରେ ଚିକିତ୍ସା ଚାଲିବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି ।