ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଚକବନ୍ଦୀ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରତିବନ୍ଧକ ସମସ୍ୟାର ସମାଧାନ କରିବା ନିମନ୍ତେ ସରକାର ଅଣ୍ଟା ଭିଡ଼ିଥିଲେ । ଏଠାରେ ସୂଚନାଯୋଗ୍ୟ ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତୀକରଣ ନିବାରଣ ଅଧିନିୟମ, ୧୯୭୨ ଚକ ଜମିର ଖଣ୍ଡବିଖଣ୍ଡନକୁ ରୋକିଥାଏ ଏବଂ ଉକ୍ତ ଆଇନ ଉଲ୍ଲଙ୍ଘନ କରି କରାଯାଇଥିବା ଯେକୌଣସି ଜମି ହସ୍ତାନ୍ତରୀକରଣ କିମ୍ବା ବଣ୍ଟନ ବେଆଇନ ଥିଲା ।
ଏହି ପ୍ରତିବନ୍ଧକଗୁଡିକ ଲୋକମାନଙ୍କର ଅଧିକାର ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା ଏବଂ ସେମାନେ ଆବଶ୍ୟକତା ସମୟରେ ନିଜ ଜମିର ବିକ୍ରୟ/ ହସ୍ତାନ୍ତର/ ବଣ୍ଟନ କରିବାରୁ ବଞ୍ଚିତ ହେଉଥିଲେ । ଏହି ପ୍ରତିବନ୍ଧକ ଜମି ରେକର୍ଡଗୁଡିକର ସଂଶୋଧନରେ ପ୍ରତିବନ୍ଧକ ସୃଷ୍ଟି ସହ ଜମି ଦଖଲ ନିମନ୍ତେ ଭବିଷ୍ୟତରେ ମକଦ୍ଦମା ସୃଷ୍ଟି କରିବାରେ ଏକ ପ୍ରମୁଖ କାରଣ ହେଉଥିଲା ।
ଏହି ସମସ୍ୟାକୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ୱ ଟାସ୍କଫୋର୍ସରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଓ ପରିବର୍ତ୍ତିିତ ପରିସ୍ଥିତିରେ ଉକ୍ତ ଅଧିନିୟମକୁ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଯାହା ପରେ ଓଡିଶା ବିଧାନ ସଭାରେ ପାରିତ ହୋଇ ବିଧି ବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ହୋଇଛି । ଏହା ଫଳରେ ଓଡ଼ିଶାର ପ୍ରାୟ ଆଠ ହଜାର ଗ୍ରାମର ଲକ୍ଷାଧିକ ଲୋକ ଲାଭବାନ ହେବେ ଓ ଚକ ଜମିର ବିକ୍ରୟ/ ହସ୍ତାନ୍ତର/ ବଣ୍ଟନ ପ୍ରକ୍ରିୟା ସ୍ୱଚ୍ଛ ଓ ପ୍ରତିବନ୍ଧକମୁକ୍ତ ହେବ । ଏହା ସହ ପୂର୍ବରୁ ଚକବନ୍ଦୀ ନିୟମ ଉଲ୍ଲଙ୍ଘନ କରି ବିକ୍ରୟ/ ହସ୍ତାନ୍ତର/ ବଣ୍ଟନ କରାଯାଇଥିବା ଜମି ଏବେ ବୈଧ ଭାବେ ଗଣନା ହେବ ।