ଯାଜପୁର: ଗତ ୧ ସପ୍ତାହ ତଳେ ଦଶରଥପୁର ବ୍ଲକ୍ରେ ଘଟିଥିବା ରେଣୁକା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ମଙ୍ଗଳପୁର ପୁଲିସ । ଏ ସମ୍ପର୍କରେ ପୁଲିସ ପକ୍ଷରୁ ମଙ୍ଗଳପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୁଧବାର ଯାଜପୁର ଅତିରିକ୍ତ ଏସ୍ପି ଘଟଣାର ଖୁଲାସା କରିଛନ୍ତି । ପୁଲିସ ତଦନ୍ତ ଅନୁଯାୟୀ ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତସ୍ଥ ହେମନ୍ତପୁର ଗ୍ରାମରେ ରେଣୁକା ଜେନା ନାମକ ଜଣେ ୪୦ ବର୍ଷୀୟା ମହିଳାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିଲା ।
ଏହି ହତ୍ୟାପରେ ମଙ୍ଗଳପୁର ଥାନାଧିକାରିଣୀ ରୀନାରାଣୀ ସାହୁ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡର ତଦନ୍ତଭାର ନିଜେ ଗ୍ରହଣ କରିଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନେଇଥିଲେ । ପରେ ଏହି ହତ୍ୟାକାଣ୍ଡକୁ ନେଇ ଉକ୍ତ ମହିଳାଙ୍କ ସ୍ୱାମୀକୁ ପୁଲିସ ସନ୍ଦେହ କରି ଅଟକ ରଖିଥିଲା । ହତ୍ୟାକାଣ୍ଡ ସମ୍ପର୍କରେ ଦୀର୍ଘ ୧ ସପ୍ତାହର ତଦନ୍ତ ପରେ ଗତକାଲି ପୁଲିସ ପକ୍ଷରୁ ଏହି ହତ୍ୟାକାଣ୍ଡକୁ ନେଇ ତଦନ୍ତ କରାଯିବା ପରେ ମୃତା ମହିଳାଙ୍କ ସ୍ୱାମୀ ରନ୍ଥା ଜେନା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବାର ପ୍ରମାଣ ପାଇଥିଲା। ହତ୍ୟାକାଣ୍ଡ ଦିନ ହତ୍ୟାକାରୀ ରନ୍ଥା ସହ ପତ୍ନୀ ରେଣୁକା ଏକ ବ୍ୟାଙ୍କକୁ ସକାଳବେଳା ଯାଇଥିବାବେଳେ ସନ୍ଧ୍ୟା ୫ଟା ରେ ଘରକୁ ଫେରିବାପରେ ସ୍ୱାମୀ ରନ୍ଥା ରେଣୁକାକୁ ଟଙ୍କା ମାଗିଥିଲା ।
ସ୍ୱାମୀ ରନ୍ଥା ମଦ ପିଉଥିବା ନେଇ ପତ୍ନୀ ରେଣୁକା ସବୁବେଳେ ବିରକ୍ତି ହେବାସହ କଳହ କରିଥିବାବେଳେ ଉକ୍ତଦିନ ରୋକଠୋକ୍ ପଇସା ଦେବାକୁ ପତ୍ନୀ ମନାକରିଥିଲେ । ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ଝଗଡ଼ା ଲାଗିଥିଲା । ପରେ ରନ୍ଥା ଉତ୍ତ୍ୟକ୍ତ ହୋଇ ପତ୍ନୀ ରେଣୁକାକୁ ନିର୍ଧୁମ୍ ବାଡ଼େଇବା ସହ ପାଖରେ ପଡ଼ିଥିବା ଏକ ପନିକିରେ ଏକ ଚୋଟ ପକାଇଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ହେବାରୁ ରେଣୁକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଏହି ମୃତ୍ୟୁକୁ ନେଇ ହତ୍ୟାକାରୀ ରନ୍ଥା ପ୍ରଥମେ କିଛି ଜାଣିନଥିଲା ବୋଲି କହୁଥିବାବେଳେ ପୁଲିସକୁ ଗତ ୧ ସପ୍ତାହ ଧରି ଭୂଆଁ ବୁଲାଉଥିଲା । କିନ୍ତୁ ଗତକାଲି ରନ୍ଥା ହତ୍ୟା କରିଥିବାର ପୁଲିସ ସବୁ ପ୍ରମାଣ ପାଇଥିବାବେଳେ ରନ୍ଥା ହତ୍ୟା କରିଥିବା ପନିକି ଏବଂ ରକ୍ତ ଜୁଡ଼ୁବୁଡ଼ୁ ଲୁଗାପଟା ପୁଲିସ ଜବତ କରିଥିଲା । ମଙ୍ଗଳପୁର ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ସ୍ୱାମୀ ରନ୍ଥାକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ମଙ୍ଗଳପୁର ଥାନାଧିକାରିଣୀଙ୍କ ଉଦ୍ୟମ ପରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି ।