20.1 C
Bhubaneswar
Wednesday, December 25, 2024
Homeଦେଶ ବିଦେଶଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ

ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ

କାବୁଲ:  ଆଫଗାନିସ୍ତାନରେ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଚୂଡାନ୍ତ ହେବ ବୋଲି ବୁଧବାର ତାଲିବାନ ପକ୍ଷରୁ କୁହାଯାଇଛି । ଆମେରିକୀୟ ସୈନ୍ୟ ଇତିମଧ୍ୟରେ କାବୁଲ ଛାଡି ଚାଲିଯାଇଥିବାବେଳେ ବର୍ତ୍ତମାନ ସରକାର ଗଠନ ନେଇ ତାଲିବାନ ନେତୃବର୍ଗଙ୍କ ମଧ୍ୟରେ ବୁଝାମଣା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ତାଲିବାନ ସାଂସ୍କୃତିକ କମିଶନ ସଦସ୍ୟ ବିଲାଲ କରିମି ଜଣାଇଛନ୍ତି । ତାଲିବାନ ସଂଗଠନର ସୁପ୍ରିମ କମାଣ୍ଡର କୁହାଯାଉଥିବା ହୈବାତୁଲ୍ଲା ଅଖୁଣ୍ଡଜାଦା ବର୍ତ୍ତମାନ କାନ୍ଦାହାରରେ ଅବସ୍ଥାନ କରୁଛନ୍ତି । ନବଗଠିତ କାଉନସିଲରେ ସେ ସର୍ବୋଚ୍ଚ ପଦରେ ଅବସ୍ଥାପିତ ହେବେ ବୋଲି କୁହାଯାଇଛି ।

ତେବେ ଅଖୁଣ୍ଡଜାଦାଙ୍କ ଘନିଷ୍ଠ ସହଯୋଗୀ ବୋଲାଉଥିବା ମୁଲ୍ଲା ଅବଦୁଲ ଘନି ବାରାଦର ନୂତନ ସରକାରର ମଙ୍ଗୁଆଳ ହେବେ ବୋଲି ବିଲାଲ କହିଛନ୍ତି । ସରକାର ଗଠନ ପ୍ରକ୍ରିୟାରେ ପୂର୍ବ ସରକାର କେତେକ ନେତାଙ୍କୁ ସାମିଲ କରାଯିବ କି ନାହିଁ, ସେଥିନେଇ ଉପୁଜିଥିବା ଦ୍ୱନ୍ଦ୍ୱର ପରିସମାପ୍ତି ଘଟିଥିବା ଜଣାପଡିଛି । ଆଗାମୀ କିଛିଦିନ ମଧ୍ୟରେ ନୂତନ ସରକାରର ରୂପରେଖ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯିବ ବୋଲି ବିଲାଲ କହିଛନ୍ତି । ଖୁବଶୀଘ୍ର ଅଖୁଣ୍ଡଜାଦା ଓ ବାରାଦର କାବୁଲରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟଙ୍କ ଅପସାରଣ ଘଟିବାପରେ ନୂତନ ସରକାର ଗଠନ କରାଯିବ ବୋଲି ତାଲିବାନ ପୂର୍ବରୁ ଘୋଷଣା କରିଥିଲା । ଇତିମଧ୍ୟରେ ସୋମବାର ବିଳମ୍ବିତ ରାତି ସୁଦ୍ଧା କାବୁଲରୁ ଆମେରିକୀୟ ସୈନ୍ୟ ସ୍ୱଦେଶ ଫେରିଯାଇଛନ୍ତି । ତେଣୁ ସରକାର ଗଠନ ପ୍ରକ୍ରିୟାକୁ ଚୂଡାନ୍ତ କରିବାକୁ ତାଲିବାନ ନେତୃବୃନ୍ଦ ବର୍ତ୍ତମାନ ଅଗ୍ରାଧିକାର ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking