30 C
Bhubaneswar
Monday, May 12, 2025
Homeଦେଶ ବିଦେଶଆଜିଠୁ ୪ ଦିନିଆ ହିମାଚଳ ପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି

ଆଜିଠୁ ୪ ଦିନିଆ ହିମାଚଳ ପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜିଠୁ ୪ ଦିନିଆ ହିମାଚଳ ପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ଆସନ୍ତା ୨୧ ତାରଖ ପର‌୍ୟ୍ୟନ୍ତ ସେ ହିମାଚଳ ଗସ୍ତରେ ରହିବା ନେଇ ରାଷ୍ଟ୍ରପତି ଭବନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ନଜର ପକାନ୍ତୁ ରାଷ୍ଟ୍ରପତିଙ୍କ କାର‌୍ୟ୍ୟକ୍ରମ ଉପରେ।

ଆଜି ହିମାଚଳ ପ୍ରଦେଶରେ ପହଞ୍ଚିବା ପରେ ମାସୋବ୍ରା ଠାରେ ଏକ ତୁଳସୀ ଉଦ୍ୟାନର ଉଦଘାଟନ କରିବେ। ଏହାପରେ ସନ୍ଧ୍ୟା ସମୟରେ ସେ ଶିମଲାର ରାଜ ଭବନରେ ହିମାଚଳ ପ୍ରଦେଶ ସରକାରଙ୍କ ସମ୍ମାନାର୍ଥେ ଆୟୋଜିତ ହେବାକୁ ଥିବା ଏକ କାର‌୍ୟ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ଆସନ୍ତାକାଲି(ବୁଧବାର) ଶିମଲାର ନ୍ୟାସନାଲ ଏକାଡେମୀ ଅଫ୍ ଅଡିଟ୍ ଆଣ୍ଡ ଆକାଉଣ୍ଟସରେ ଇଣ୍ଡିଆନ୍ ଅଡିଟ୍ ଆଣ୍ଡ ଆକାଉଣ୍ଟସ୍ ସର୍ଭିସର ପ୍ରଶିକ୍ଷକଙ୍କ ସହ ଆଲୋଚନା କରିବେ।

ଏହାପରେ ଶିମଲା ଠାରେ ଥିବା ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟର ୨୬ ତମ ସମାରୋହରେ ସାମିଲ ହେବେ । ଏପ୍ରିଲ ୨୦ ତାରିଖରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡି ପରିଦର୍ଶନ କରିବେ । ପରେ ସେ ରାଷ୍ଟ୍ରପତି ନିବାସରେ ଆଟ ହୋମ୍ ରିସେପ୍ସନର ଆୟୋଜନ କରିବେ । ସେହି ଦିନ ସର୍ବସାଧାରଣଙ୍କ ପାଇଁ ରାଷ୍ଟ୍ରପତି ନିବାସ ଖୋଲା ରହିବ ।

ଗତକାଲି(ସୋମବାର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଜାତୀୟ ପଞ୍ଚାୟତ ପ୍ରୋତ୍ସାହନ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଏହାପରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଥିଲେ । ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ, “ଗତ କିଛି ଦଶନ୍ଧିରେ ଦୃତ ସହରୀକରଣ ସତ୍ତ୍ୱେ ଜନସଂଖ୍ୟାର ଅଧିକାଂଶ ଭାଗ ଏବେ ମଧ୍ୟ ଗାଁରେ ବସବାସ କରୁଛନ୍ତି । ସହରରେ ରହୁଥିବା ଲୋକମାନେ ମଧ୍ୟ କୌଣସି ନା କୌଣସି ଭାବରେ ଗାଁ ସହ ଯୋଡି ହୋଇଛନ୍ତି ।

ଗାଁର ବିକାଶ ଦ୍ୱାରା ହିଁ ଦେଶର ସର୍ବାଙ୍ଗୀନ ଉନ୍ନତି ସମ୍ଭବ । ଗାଁର ବିକାଶ ପାଇଁ କେଉଁ ମଡେଲ ଉପଯୁକ୍ତ ଅଟେ ଏବଂ ଏହାକୁ କିଭଳି ଭାବେ ଲାଗୁ କରାଯିବା ଆବଶ୍ୟକ ବୋଲି କହିଥିଲେ ରାଷ୍ଟ୍ରପତି । ଗତ ଏପ୍ରିଲ ୬ ତାରିଖରେ ତିନି ଦିନିଆ ଆସାମ ଗସ୍ତରେ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଯୁଦ୍ଧବିମାନ ସୁଖୋଇ-୩୦ ଏମକେଆଇରେ ଉଡାଣ ଭରିଥିଲେ । ଆସାମସ୍ଥିତ ତେଜପୁର ବାୟୁସେନା ଷ୍ଟେସନରୁ କୋ-ପାଇଲଟ ସିଟ୍‌ରେ ବସି ଉଡାଣ ଭରିଥିଲେ ରାଷ୍ଟ୍ରପତି ମୁର୍ମୁ । ଉଡାଣ ସମୟରେ ରାଷ୍ଟ୍ରପତି ବାୟୁସେନା ପୋଷାକ ପରିଧାନ କରିଥିଲେ । କିଛି ସମୟ ପାଇଁ ଆକାଶ ମାର୍ଗରେ ବୁଲିବା ପରେ ସୁରକ୍ଷିତ ଭାବେ ତେଜପୁରରେ ଲ୍ୟାଣ୍ଡ କରିଥିଲା ସୁଖୋଇ-୩୦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking