ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ୨୦୨୩ ବର୍ଷ ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ପ୍ରଥମ ଦଫାରେ ୫୪ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ପଦ୍ମବିଭୂଷଣ, ୪ ଜଣ ପଦ୍ମଭୂଷଣ ଏବଂ ୪୭ ଜଣ ପଦ୍ମଶ୍ରୀ ପୁରସ୍କାର ବିଜେତା ରହିଛନ୍ତି । ବୁଧବାର ବିଶିଷ୍ଟ ତବଲା ବାଦକ ଓସ୍ତାଦ ଜାକିର ହୁସେନଙ୍କ ସମେତ ରାଜନେତା ଏସ.ଏମ. କ୍ରିଷ୍ଣା ଓ ଗୁଜରାଟର ବିଶିଷ୍ଟ ସ୍ଥପତି ପ୍ରଫେସର ବାଲକୃଷ୍ଣ ଦୋଷି (ମରଣୋତ୍ତର)ଙ୍କୁ ପଦ୍ମବିଭୂଷଣ ପୁରସ୍କାର ମିଳିଥିବାବେଳେ ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ପ୍ରଚ୍ଛଦପଟ ଗାୟିକା ସୁମନ କଲ୍ୟାଣପୁର, ପ୍ରଫେସର କପିଲ କପୁର ଓ କମଲେଶ ପଟେଲଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିଛି ।
ଅପରପକ୍ଷରେ ଓଡ଼ିଶାର ମାଗୁଣି ଚରଣ କୁଅଁରଙ୍କ ସମେତ ୪୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ସୂଚନାଯୋଗ୍ୟ ଚଳିତବର୍ଷ ମୋଟ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ ବୋଲି ଜାନୁଆରୀ ୨୫ରେ ଘୋଷଣା କରାଯାଇଥିଲା । ତନ୍ମଧ୍ୟରୁ ୬ ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ଅବଶିଷ୍ଟ ୯୧ ଜଣଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଥିଲା । ପଦ୍ମଶ୍ରୀ ବିଜେତାଙ୍କ ମଧ୍ୟରେ ଓଡ଼ିଶାର ମାଗୁଣି କୁଅଁର (କଳା), ଅନ୍ତର୍ଯ୍ୟାମୀ ମିଶ୍ର (ସାହିତ୍ୟ ଓ ଶିକ୍ଷା), କ୍ରିଷ୍ଣା ପଟେଲ (କଳା-ଗାୟିକା) ଓ ପଟାୟତ ସାହୁ (କୃଷି) ରହିଛନ୍ତି । ବୁଧବାର ଆୟୋଜିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।