ଭୁବନେଶ୍ୱର: ଆମେରିକା ଏୟାରଲାଇନ୍ସର ଏକ ବିମାନ ୩ ମିନିଟରେ ୧୫,୦୦୦ ଫୁଟ ତଳକୁ ଖସି ପଡିଥିବା ଘଟଣା ସାମ୍ନାକୁ ଆସିଛି । ଫ୍ଲୋରିଡା ଯାଉଥିବା ଏକ ବିମାନ ୩ ମିନିଟ ଭିତରେ ୧୫ ହଜାର ଫୁଟ ତଳକୁ ଖସିବା ଯୋଗୁଁ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ବିମାନଟି ଉଡାଣ ଭରିବା ପରେ ବିମାନଟି ମଝି ଆକାଶରେ ଥିବା ବେଳେ କ୍ୟାବିନ ମଧ୍ୟରେ ଜୋରଦାର ଧମାକା ହେବା ପରେ ଜଳିବା ଗନ୍ଧ ହେଉଥିଲା । ଫଳରେ ଯାତ୍ରୀ ଭୟଭୀତ ହୋଇ ଚିତ୍କାର କରିଥିଲେ ।
ଖବର ମୁତାବକ, ଆମେରିକାନ୍ ଏୟାରଲାଇନ୍ସ ବିମାନ ୫୯୧୬ ଆମେରିକାର ଚାର୍ଲୋଟ, ନର୍ଥ କାରୋଲିନାରୁ ଫ୍ଲୋରିଡାର ଗେନେସଭିଲ୍ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନଟି ମଝି ଆକାଶରେ ଉଡାଣ ଭରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଏଥିରେ ଥିବା ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ପ୍ରଫେସର ହ୍ୟାରିସନ ହାଭେ ଟ୍ଵିଟ୍ କରି ଏଭଳି ସ୍ଥିତି ବିଷୟରେ ଜଣାଇଥିଲେ ।
ସେ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଭୟାନକ ଥିଲା। ସେ ସମୟରେ ବିମାନ ଭିତରର ସ୍ଥିତି ଏବଂ ଯାତ୍ରୀମାନଙ୍କ ଅବସ୍ଥା ଯାହାଥିଲା ତାକୁ ଫଟୋରେ କଏଦ କରାଯାଇପାରିବ ନାହିଁ। ତେବେ ସେ ସେୟାର କରିଥିବା ଫଟୋରେ ବିମାନରେ ଅକ୍ସିଜେନ ମାସ୍କ ଝୁଲୁଥିବା ବେଳେ ତାଙ୍କ ସମେତ ଅନେକ ଯାତ୍ରୀ ଏହାର ସାହାଯ୍ୟରେ ନିଶ୍ୱାସ ନେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।
ବିମାନଟି ୧୧ ମିନିଟ୍ ମଧ୍ୟରେ ବିମାନଟି ପ୍ରାୟ ୨୦,୦୦୦ ଫୁଟ୍ ତଳକୁ ଖସି ଯାଇଥିଲା। ଯାତ୍ରାର ୪୩ ମିନିଟ୍ ପରେ ବିମାନଟି ୬ ମିନିଟ୍ରୁ କମ୍ ସମୟ ମଧ୍ୟରେ ୧୮,୬୦୦ ଫୁଟ୍ ତଳକୁ ଖସିଥିଲା ।
ଅନ୍ୟପକ୍ଷରେ ଆମେରିକାନ୍ ଏୟାରଲାଇନ୍ସର ଜଣେ ପ୍ରବକ୍ତା ବୟାନ ଦେଇ କହିଛନ୍ତି, ଚାପ ଜନିତ ସମସ୍ୟା କାରଣରୁ କର୍ମଚାରୀମାନେ ସୁରକ୍ଷିତ ଭାବରେ କମ୍ ଉଚ୍ଚତାରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। କୌଣସି ଅସୁବିଧା ପାଇଁ ଆମେ ଯାତ୍ରୀମାନଙ୍କୁ କ୍ଷମା ପ୍ରାର୍ଥନା କରୁଛୁ ।