ନୂଆଦିଲ୍ଲୀ : ଗତ ମଇ ୧୯ ତାରିଖରେ ଦିଲ୍ଲୀସ୍ଥିତ ରାଜୀବ ଚୌକ୍ ମେଟ୍ରୋ ଷ୍ଟେସନ ତଥା ଟ୍ରେନ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ହତ୍ୟା କରାଯିବା ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିବାର ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ କେନ୍ଦ୍ର କରି ଆମ୍ ଆଦମୀ ପାର୍ଟି ବିଜେପି ଏବଂ ପିଏମଓଙ୍କୁ ଦାୟୀ କରି ଏକ ଟୁଇଟ୍ କରିଥିଲା। ଏହାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଯୁବକ ବରେଲିର ବାସିନ୍ଦା ଥିବା ବେଳେ ନାମ ତାର ଅଙ୍କିତ ଗୋଏଲ୍ ବୋଲି ଜଣାପଡ଼ିଛି। ପୁଲିସ ପଟେଲ ନଗର ଓ ରାଜୀବ ଚୌକ ମେଟ୍ରୋ ଷ୍ଟେସନର ସିସିଟିଭି ଯାଞ୍ଚ କରିବା ପରେ ଅମିତ ଗୋଏଲ୍ ହିଁ କେଜ୍ରିଓ୍ୱାଲଙ୍କ ବିରୋଧରେ ଧମକପୂର୍ଣ୍ଣ ମେସେଜ ଲେଖିଥିବା ଖୁଲାସା ହୋଇଛି। କେବଳ ସେତିକି ନୁହେଁ ଅଭିଯୁକ୍ତ ଜଣକ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ମେଟ୍ରୋ ଷ୍ଟେସନରେ ଲେଖିଥିବା ଧମକପୂର୍ଣ୍ଣ ମେସେଜର ଫଟୋ ସେୟାର କରିଛି। ଦିଲ୍ଲୀ ପୁଲିସ ମେଟ୍ରୋ ୟୁନିଟ୍ ଏଫ୍ଆଇଆର୍ ରୁଜୁ କରି ପୂରା ମାମଲାର ତଦନ୍ତ ଜାରି ରଖିଛି।