32.1 C
Bhubaneswar
Saturday, June 22, 2024
Homeଓଡିଶାଆଜି ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଆଜି ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ। ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସେହିଭଳି ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି ଓ ଶିଳ୍ପପତିମାନେ ମଧ୍ୟ ଅତିଥି ଭାବେ ଯୋଗଦେବେ। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସମଗ୍ର ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାନୁସାରେ ଅପରାହ୍ଣ ୨ଟା ୧୦ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି‌ବେ। ସେଠାରୁ ପ୍ରଧାନମନ୍ତ୍ରୀ ସିଧା ରାଜଭବନ ଯିବେ। ପାଖାପାଖି ୪ଟା ୩୦ ମିନିଟ୍‌ରେ ରାଜଭବନରୁ ବାହାରି ୪ଟା ୪୫ ମିନିଟ୍‌ରେ ଜନତା ମୈଦାନରେ ପହଞ୍ଚି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ରାଜଭବନ ଛକରୁ ଜନତା ମୈଦାନ ଯିବା ବାଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଦଳୀୟ କର୍ମୀଙ୍କ ସାଙ୍ଗକୁ ଲକ୍ଷ ଲକ୍ଷ ଲୋକ ରୁଣ୍ଡ ହେବେ। ରୋଡ୍‌ ସୋ’ ନେଇ କୌଣସି ସ୍ପ‌ଷ୍ଟ ସୂଚନା ନାହିଁ। କିନ୍ତୁ କମିସନରେଟ୍‌ ପୁଲିସ ସମସ୍ତ ଦିଗକୁ ନଜରରେ ରଖି ନିଜକୁ ପ୍ରସ୍ତୁତ ରଖିଛି। ଏପଟେ ଭବ୍ୟ ଶପଥ ଗ୍ରହଣ ଉତ୍ସବ ସମାରୋହ ସାଙ୍ଗକୁ ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ଭାବ୍ୟ ରୋଡ୍‌ ସୋ ରହିଛି। ତେଣୁ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍‌ ପୁଲିସ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂହ ଓ ବରିଷ୍ଠ ଅଧିକାରୀ ଘନଘନ ବୈଠକ କରି ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି।
ପୁଲିସ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ଯେ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ୨ ଡିଆଇଜି ରୢାଙ୍କର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଡିସିପି ରୢାଙ୍କର ୧୩ ଜଣ, ଏଡିସିପି ରୢାଙ୍କର ୧୮ ଓଏସ୍‌ପି ରୢାଙ୍କର ୫୮ ଜଣ ଅଧିକାରୀ ଦାୟିତ୍ବରେ ରହି‌ବେ। ଆଇଜି ପ୍ରବୀଣ କୁମାର ଜନତା ମୈଦାନ ସୁରକ୍ଷା ଦାୟିତ୍ବରେ ରହିବେ। ସେହିପରି ଡିଆଇଜି ସାର୍ଥକ ଷଡ଼ଙ୍ଗୀ ବିମାନବନ୍ଦରର ତଦାରଖ କରିବେ ଏବଂ ଡିଆଇଜି ଉମାଶଙ୍କର ଦାଶ ଟ୍ରାଫିକ୍‌ ଦାୟିତ୍ବରେ ଅଛନ୍ତି। ସେହିଭଳି ଇନ୍‌ସ୍ପେକ୍ଟର ରୢାଙ୍କର ୯୪ଜଣ, ୩୧୨ ଏସ୍‌ଆଇ/ଏଏସ୍‌ଆଇ, ୨୫୮ ଜଣ ହାବିଲଦାର, ୯୪ ଜଣ ଏପିଆର୍ କନେଷ୍ଟବଳ ବି ନିୟୋଜିତ ହେବେ। ମୋଟ ୬୭ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୩ ଏସ୍‌ଟିୟୁ, ଡଗ୍‌ ସ୍କ୍ବାଡ୍‌, ବୋମାନିଷ୍କ୍ରିୟକାରୀ ଟିମ୍‌ ମୁତୟନ ହେବେ। ୧୧୧ ଜଣ ମହିଳା କନେଷ୍ଟବଳ ଓ ୯୪ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking