14.1 C
Bhubaneswar
Friday, January 10, 2025
Homeଖେଳଡିସେମ୍ବର ୨୪ରୁ ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ୍  ଚାମ୍ପିଅନ୍‌ଶିପ୍

ଡିସେମ୍ବର ୨୪ରୁ ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ୍  ଚାମ୍ପିଅନ୍‌ଶିପ୍

ଭୁବନେଶ୍ୱର:  ଆସନ୍ତା ଡିସେମ୍ବର ୨୪ ତାରିଖଠାରୁ ଚତୁର୍ଥ ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍‌ଶିପ୍ ଆରମ୍ଭ ହେବ । ଏହି ତିନିଦିନିଆ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ପାଇଁ ପାରାଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଅନୁମତି ଦେଇଥିବା ବେଳେ ଏହା ପାରା ସ୍ପୋର୍ଟ୍ସ ଆସୋସିଏସନ୍ ଅଫ୍ ଓଡ଼ିଶା (ପିଏସ୍‌ଏଓ) ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗ ମଧ୍ୟ ରହିବ । ଏହାଛଡ଼ା ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ସଂଘ (ବାଇ), ଉଡାନ୍ ବ୍ୟାଡ୍‌ମିଣ୍ଟନ୍ ଏକାଡେମୀ ଓ କେସି ମେମୋରିଆଲ୍ ଟ୍ରଷ୍ଟ ମଧ୍ୟ ସହଯୋଗ କରୁଥିବା ସୋମବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି ପ୍ରତିଯୋଗିତାରେ ପାଖାପାଖି ୪ ଶହ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଅଂଶଗ୍ରହଣ କରିବେ ।

ସେମାନଙ୍କ ମଧ୍ୟରେ ପାରାଲିମ୍ପିଆନ୍‌, ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ବିଜେତା ଭାଗ ନେବାକୁ ଥିବା ବେଳେ ଏଥିରେ ଭରପୂର ରୋମାଞ୍ଚ ଦର୍ଶକମାନଙ୍କୁ ଦେଖିବାକୁ ମିଳିବ । ଏପରି ଏକ ଟୁର୍ଣ୍ଣାମେଣ୍ଟ୍ ଭୁବନେଶ୍ୱରରେ ଆୟୋଜିତ ହେବା ଦ୍ୱାରା ଯୁବ ବ୍ୟାଡ୍‌ମିଣ୍ଟନ୍ ଖେଳାଳିମାନେ  ମଧ୍ୟ ଲାଭବାନ ହେବେ । ଏଥିରେ ଗତ ଟୋକିଓ ପାରାଲିମ୍ପିକ୍ସରେ ଐତିହାସିକ ସଫଳତା ପାଇଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କ ସମେତ ଶୀର୍ଷ ର‌୍ୟାଙ୍କ୍‌ର ଖେଳାଳି ଓ ପଦକ ବିଜେତା ମଧ୍ୟ ଅଂଶଗ୍ରହଣ କରିବେ । ସାମ୍ବାଦିକ ସମ୍ମିଳନୀରେ ପ୍ରମୋଦଙ୍କ ସହ ବାଇ ଅଧ୍ୟକ୍ଷ କେ. ପ୍ରଭାକର ରାଓ ଉପସ୍ଥିତ ଥିଲେ । ରାଓ ଏହି ଜାତୀୟ ଟୁର୍ଣ୍ଣାମେଣ୍ଟ୍‌ର ତାରିଖ ଘୋଷଣା କରିବା ସହ ଜର୍ସି ଉନ୍ମୋଚନ କରିଥିଲେ ।

ଏହାଛଡ଼ା ପିଏସ୍‌ଏଓ ସମ୍ପାଦକ ଲୋକନାଥ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉଡାନ୍ ବ୍ୟାଡ୍‌ମିଣ୍ଟନ୍ ପକ୍ଷରୁ ଗତ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣପଦକ ଜିତିଥିବା ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଏକାଡେମୀ ଅଧିନରେ କାର୍ଯ୍ୟ କରୁଥିବା ଏକ କୋର୍ଟ ମଧ୍ୟ ତାଙ୍କ ନାମରେ ନାମିତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପାରା ବ୍ୟାଡ୍‌ମିଣ୍ଟନ୍ କୋଚ୍ ଶିବ ପ୍ରସାଦ ଦାସ, କେସି ମେମୋରିଆଲ୍ ଟ୍ରଷ୍ଟ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମିଶ୍ର ଓ ଉଡାନ୍ ସ୍ପୋର୍ଟ୍ସ ଏକାଡେମୀ ଅଧ୍ୟକ୍ଷ ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking