ଭୁବନେଶ୍ୱର: ନୟାପଲ୍ଲୀ ଥାନା ପରିସରରେ ବୋହୂକୁ ଶାଶୂ ନିସ୍ତୁକ ପିଟିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଥାନା ଭିତରେ ଚାପା ଉତ୍ତେଜନା ଲାଗି ରହିଥିଲା । ଶାଶୂ-ବୋହୂଙ୍କ କଳିକୁ ନେଇ ସେଠାରେ ଉପସ୍ଥିତ ଥିବା ଲୋକେ ଚକିତ ହୋଇପଡ଼ିଥିଲେ । ପରେ ପୁଲିସ ଶାଶୂଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଅନ୍ୟ ପଟେ ସ୍ୱାମୀଙ୍କୁ ଗିରଫ କରିବା ଦାବିରେ ଅଡ଼ି ବସିଛନ୍ତି ବୋହୂ ନମିତା ଦିଗାଲ । ପୁଲିସ ନମିତାଙ୍କ ଅଭିଯୋଗକୁ ଭିତ୍ତିିିକରି ଘଟଣାର ତଦନ୍ତ କରିବା ସହ ତାଙ୍କ ସ୍ୱାମୀଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।
ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ନମିତା ଦିଗାଲ(୨୬), ତିନି ଛୁଆ, ସ୍ୱାମୀ, ଶାଶୂ ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହିରେ ରୁହନ୍ତି। ନମିତାଙ୍କ ସ୍ୱାମୀ ପ୍ରଚୁର ମଦ୍ୟପାନ କରି ପତ୍ନୀଙ୍କୁ ମାଡ ମାରିବା ସହ ଘରୁ ବାହାର କରି ଦେଇଥିଲେ । ପୁଅର ଏଭଳି କାର୍ଯ୍ୟକୁ ମା’ ବିରୋଧ ନକରି ଓଲଟା ପୁଅକୁ ସାହାସ ଦେଉଥିବା ନମିତା ଅଭିଯୋଗ ଆଣିଛନ୍ତି । ସପ୍ତାହେ ହେବ ତିନି ଛୁଆଙ୍କୁ ଧରି ସେ ବାହାରେ ବୁଲୁଥିବା କହିଛନ୍ତି । ଏନେଇ ନମିତା ସୋମବାର ନୟାପଲ୍ଳୀ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ।
ସେ ଅଭିଯୋଗ କରିବା ପରେ ପୁଲିସ ତାଙ୍କ ସ୍ୱାମୀଙ୍କୁ ଧରିବାକୁ ସାଲିଆସାହିରେ ଚଢାଉ କରିଥିଲେ ମଧ୍ୟ ପୁଲିସକୁ ଦେଖି ସେ ଖସି ପଳାଇଥିଲେ । ଏହାପରେ ନମିତାଙ୍କ ଶାଶୂ ଥାନାକୁ ଆସିଥିଲେ । ତୁ କାହିଁକି ମୋ ପୁଅ ବିରୋଧରେ ଥାନାରେ ଅଭିଯୋଗ କଲୁ ବୋହି କହି ଥାନା ଭିତରେ ବୋହୂର ଚୁଟି ଘେଷାରୀ ଶାଶୂ ମାଡ଼ ମାରିଥିଲେ । ଥାନା ଭିତରେ ଶାଶୁ-ବୋହୂଙ୍କ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରି ଦେଇଛି । ପୁଲିସ ନମିତାଙ୍କ ଅଭିଯାଗ ଆଧାରରେ ଘଟଣାର ତଦନ୍ତ ଜାରି ରଖିଛି ।