20.1 C
Bhubaneswar
Thursday, January 23, 2025
Homeଓଡିଶାଛୁଆକୁ ଗ୍ରହଣ କଲାନି ମାଆ ହାତୀ; ପଠାଗଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଛୁଆକୁ ଗ୍ରହଣ କଲାନି ମାଆ ହାତୀ; ପଠାଗଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

କେନ୍ଦୁଝର: ଘଟଗାଁ ରେଞ୍ଜ ଦେଓବନ୍ଧ ସେକ୍ସନ ଦେଓବନ୍ଧ ବିଟ୍ ଅନ୍ତର୍ଗତ କୋଳିମାଟି ଗ୍ରାମ ନିକଟରେ ଏକ ପଥର ଖୋଲରୁ ଉଦ୍ଧାର ହୋଇଥିବା ୨ ମାସ ଅଣ୍ଡିରା ହାତୀ ଛୁଆକୁ ମାଆ ହାତୀ ଗ୍ରହଣ ନକରିବାରୁ ଆଜି ବନ ବିଭାଗ ପକ୍ଷରୁ ତାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଯାଇଥିବା ଘଟଗାଁ ରେଞ୍ଜର ପ୍ରଭାତ କୁଅଁର ସୂଚନା ଦେଇଛନ୍ତି । ପ୍ରକାଶ ଯେ ଗତ ଶୁକ୍ରବାର ଏକ ୧୩ ଟିକିଆ ହାତୀପଲ କୋଳିମାଟି ଗ୍ରାମ ନିକଟ ବଣମୁଣ୍ଡା ଜଙ୍ଗଲ ପାଶ୍ୱର୍ରେ ରେଳଲାଇନ ପାର ହେଉଥିବାବେଳେ ହାତୀ ଶାବକଟି ସେଠାରେ ଥିବା ଚଟାଣରେ ଖସିଯାଇ ଏକ ପଥର ଖୋଲ ଭିତରେ ପଡ଼ିଯାଇଥିଲା । ଛୁଆ ହାତୀର ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ବନବିଭାଗକୁ ସୂଚନା ଦେଇଥିଲେ । ବନ ବିଭାଗ ସ୍କ୍ୱାର୍ଡ କର୍ମଚାରୀ ଏବଂ ଗ୍ରାମବାସୀ ମିଳିତ ଭାବେ ଚେଷ୍ଟା କରି ହାତୀ ଛୁଆକୁ ସୁରକ୍ଷିତ ଭାବେ ପଥର ଖୋଲ ଭିତରୁ ଉଦ୍ଧାର କରିଥିଲେ ।

ପରେ ହାତୀ ଛୁଆକୁ ସ୍କ୍ୱାର୍ଡ କର୍ମଚାରୀଙ୍କ ସହାୟତାରେ ତା ମାଆ ଥିବା ହାତୀ ପଲ ନିକଟରେ ଛାଡିଥିଲେ । ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ଧରି ହାତୀ ଛୁଆଟି ହାତୀପଲ ନିକଟକୁ ଯାଇଥିଲେ ମଧ୍ୟ ହାତୀପଲ ଗ୍ରହଣ ନକରିବାରୁ ଛୁଆଟି ଏକୁଟିଆ ହୋଇ ଯାଇଥିଲା । ଦୁଇ ଜଣ ଏସିଏଫ୍‌, ଘଟଗାଁ ରେଞ୍ଜରଙ୍କ ସମେତ ବନ ବିଭାଗର ସ୍କ୍ୱାର୍ଡ କର୍ମଚାରୀ ହାତୀ ଛୁଆକୁ ଦଳରେ ମିଶାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଫଳରେ ହାତୀଛୁଆକୁ ବନ ବିଭାଗ ପକ୍ଷରୁ ରବିବାର ପୂର୍ବାହ୍ଣ ୧୧ ଟାରେ ଗଜ ଗାଡିରେ ସୁରକ୍ଷିତ ଭାବେ ଘଟଗାଁ ରେଞ୍ଜ କାର୍ଯ୍ୟାଳୟକୁ ଆଣାଯାଇ ବୋତଲରେ ପାନୀୟ ଦିଆଯାଇଥିଲା । ଘଟଗାଁ ବ୍ଲକ ପ୍ରାଣୀ ଚିକତ୍ସାଳୟର ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ଲକ୍ଷ୍ମୀପ୍ରିୟା ଦାସ, ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ୍ ଇଣ୍ଡିଆର ଡାକ୍ତର ବ୍ରଜରାଜ ୟାଦବ ଏହାର ଚିକିତ୍ସା କରିଥିଲେ । ହାତୀ ଛୁଆର ସୁରକ୍ଷା ଏବଂ ଲାଳନପାଳନ କରିବା ପାଇଁ ଅପରାହ୍ଣ ୨ଟା ୩୦ ରେ ନନ୍ଦନକାନନକୁ ପଠାଯାଇଥିବା ଏସିଏଫ୍ ଅଶୋକ କୁମାର ଦାସ ପ୍ରକାଶ କରିଛନ୍ତି । ପରିବେଶବିତ୍ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି ଯେ ଥରେ ହାତୀ ଛୁଆକୁ ମଣିଷ ସ୍ପର୍ଶ କଲେ ହାତୀ ମଣିଷର ଗନ୍ଧ ବାରିଥାଏ । ଏହି କାରଣରୁ ହାତୀ ଦଳରେ ତାକୁ ଗ୍ରହଣ କରାଯାଉନାହିଁ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking