ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟ ପରିିସରରେ ଥିବା ଏକ ମସ୍ଜିଦକୁ ୩ ମାସ ମଧ୍ୟରେ ଭାଙ୍ଗିବାକୁ ସୁପ୍ରିମକୋର୍ଟ ସୋମବାର ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଉକ୍ତ ମସ୍ଜିଦ ହଟାଇବାକୁୁ ଆହ୍ଲାବାଦ ହାଇକୋର୍ଟ ୨୦୧୭ ନଭେମ୍ବରରେ ୱାକଫ୍ ମସ୍ଜିଦ ହାଇକୋର୍ଟ ଏବଂ ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ୍ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତିବାଦରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ଏମ୍.ଆର.ଶାହ ଓ ଜଷ୍ଟିସ ସି.ଟି.ରବିକୁମାରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ସୋମବାର ଏହାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି ।
ଏଥିସହିତ ମସ୍ଜିଦ ନିର୍ମାଣ ପାଇଁ ଅନ୍ୟତ୍ର ଜମି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ଖଣ୍ଡପୀଠ ପିଟିସନଧାରୀଙ୍କୁ ପରାମର୍ଶ ଦେଇଛନ୍ତି । ଯଦି ତିନିମାସ ମଧ୍ୟରେ ମସ୍ଜିଦ କର୍ତ୍ତୃପକ୍ଷ ସେଠାରୁ ଏହାକୁ ନ ହଟାନ୍ତି, ତେବେ ସ୍ଥାନୀୟ ପ୍ରଶାସନ ଏହାକୁ ଭାଙ୍ଗିବାକୁ ବାଧ୍ୟ ହେବେ ବୋଲି ଖଣ୍ଡପୀଠ ସ୍ପଷ୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ମସ୍ଜିଦ କମିଟି ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ଦର୍ଶାଇଥିଲେ ଯେ ୧୯୫୦ରୁ ହାଇକୋର୍ଟ ପରିସରରେ ଏହିି ମସ୍ଜିଦ ରହିଆସିଛି । ୨୦୧୭ରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିିବାପରେ ମସ୍ଜିଦ ଭାଙ୍ଗିବା ଦାବି ସାମନାକୁ ଆସିଥିଲା । ତେଣୁ ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ମସ୍ଜିଦ ନ ଭାଙ୍ଗିବାକୁ ଅନୁମତି ଦିଆଯାଉ ବୋଲି ମଧ୍ୟ ସେ ଖଣ୍ଡପୀଠକୁ ପ୍ରାର୍ଥନା କରିଥିଲେ ।