ବ୍ରହ୍ମପୁର: ବର୍ଷ ତମାମ ନା ନା କଷ୍ଟ ସ୍ୱୀକାର କରି କୋଟି କୋଟି ଜନସାଧାରଣଙ୍କୁ ମୁହଁରେ ଅନ୍ନ ଯୋଗାଉଥିବା ଜିଲ୍ଳାର ଚାଷୀ ସଂପ୍ରତି ମଣ୍ଡି ଅବ୍ୟବସ୍ଥା ଯୋଗୁଁ ଲୁହ ଗଡାଉଛି । ଜିଲ୍ଳାରେ ମଣ୍ଡି ଖୋଲିବାର ମାସକ ପରେ ବି ସମସ୍ୟାରେ ସୁଧାର ହେଉନାହିଁ । ମଣ୍ଡିରେ ଧାନ କିଣା ପ୍ରକିୟା ସ୍ୱାଭାବିକ ହେଉନାହିଁ । ଏକରକମ ମିଲରଙ୍କ ଦୟାରେ ମଣ୍ଡି ଚାଲିଛି । ନିୟମକୁ ବେଖାତିର କରି ମିଲରମାନେ ବସ୍ତା ପିଛା ୬ରୁ ୮ କିଲୋ କାଟୁଛନ୍ତି । କଟା ଘା’ରେ ଚୂନ ଦେବା ଭଳି କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ପରିବହନ ଖର୍ଚ୍ଚ ଦେଉନାହାନ୍ତି । ଅଖା ବାବଦକୁ ମିଳିବାକୁ ଥିବା ଅର୍ଥ ମଧ୍ୟ ଚାଷୀଙ୍କୁ ଦିଆଯାଉନାହିଁ । ଏଭଳି ସ୍ଥିତି ଜିଲ୍ଳାର ପ୍ରାୟ ସବୁ ଅଞ୍ଚଳରେ ରହିଛି ବୋଲି ଜିଲ୍ଳାର ଆଗ୍ରଣୀ ଚାଷୀ ସଂଗଠନ “ଋଷିକୁଲ୍ୟା ରୟତ ମହାସଭା’ ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଳାପାଳଙ୍କୁ ଅଭିଯୋଗ କରିଥିବା ଜଣାପଡ଼ିଛି । ପ୍ରଶାସନର ନିଷ୍କ୍ରିୟତାର ସୁଯୋଗ ନେଇ ଦଲାଲ, ମଧ୍ୟସ୍ଥିମାନେ ଚାଷୀଙ୍କୁ ହରିଲୁଟ କରିବାର ସୁଯୋଗ ପାଇଛନ୍ତି । ସୁଚନା ଯୋଗ୍ୟ ଯେ ଗତ କାଲି ରାଜ୍ୟ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନିଜ ନିର୍ବାଚନମଣ୍ଡଳୀ ଭଞ୍ଜନଗର ଉପ ଜିଲ୍ଳାପାଳଙ୍କୁ ଏହି ପରିପ୍ରେକ୍ଷୀରେ ଋଷିକୁଲ୍ୟାର ରୟତ ମହାସଭାର କର୍ମକର୍ତ୍ତା ମାନେ ସ୍ଥିତିରେ ସୁଧାର ଆଣିବା ପାଇଁ ଦାବି କରିଛନ୍ତି । ଏହା ନ ହୋଇପାରିଲେ ଆନ୍ଦୋଳନ ଦୁର୍ବାର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଚଳିତ ବର୍ଷ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ୬୦ ଲକ୍ଷ କୁଇଣ୍ଟାଲ ଧାନ କିଣା ଯିବାର ଟାର୍ଗେଟ ଆବଶ୍ୟକ ହୋଇଥିବାବେଳେ ଏଯାବତ୍ କେବଳ ୪୦ ଲକ୍ଷ କୁଇଣ୍ଟାଲର ଟାର୍ଗେଟ ଦିଆଯାଇଥିବା ଜଣା ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ମଣ୍ଡିରେ ଧାନ ବିକ୍ରି କରିବା ଚାଷୀଙ୍କ ସଂଖ୍ୟାକୁ ବିଭିନ୍ନ ମାରପେଞ୍ଚ ନୀତି ଅବଲମ୍ବନ କରୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ବେଗୁନିଆପଡ଼ାର ଚାଷୀ ଗତ ୨୩ ତାରିଖରୁ ଟୋକେନ୍ ପାଇ ମଧ୍ୟ ଧାନ ନବିକି ପାରିବା ଭଳି ଦୟନୀୟ ସ୍ଥିତି ରହିଛି । ଚାଷୀ ସଂଗ୍ରାମ ମଞ୍ଚର ଆବାହକ ଯୋହନ ସ୍ୱାଇଁ,ନବ ସ୍ୱାଇଁ,ପ୍ରମୁଖ ଅଭିଯୋଗ କହିଛନ୍ତି ଯେ ଆଉ କିଛି ଦିନ ପରେ ତାଙ୍କ ଟୋକେନର ଅବଧି ସରିବ । ପରେ କାହାକୁ ଗୁହାରୀ କରିବେ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ବ୍ଳକରେ ବସ୍ତା ପିଛା ୫ରୁ ୮ କିଲୋ ଅଧିକା ନିଆଯାଇଛି ବୋଲି ବାଚସ୍ପତିଙ୍କ ଅଞ୍ଚଳ ଘୁମୁସର ଚାଷୀ ସଂଘର ସଭାପତି ଗୋପାଳ ବିଶୋୟୀ, କାର୍ତ୍ତିକେଶ୍ୱର ପ୍ରଧାନ, କାଳୁ ନାୟକ, ରବି ଶତପଥି ପ୍ରମୁଖ ଅଭିଯୋଗ କରିଛନ୍ତି । ସେହିଭଳି ଖଲ୍ଲିକୋଟ ବ୍ଳକ ଆରତି ପୁର ପଞ୍ଚାୟତରେ ଅଧିକା ୬ କିଲୋ ଧାନ ନିଆଯାଇଥିବା ନେଇ ପୁର୍ବତନ ସରପଞ୍ଚ ପ୍ରକାଶ ପଲେଇ ଅଭିଯୋଗ କରିବା ପରେ ସେହି ପଞ୍ଚାୟତରୁ ଧାନ କିଣାଯିବା ବନ୍ଦ କରିଦିଆଯ।।ଇଛି । ଜିଲ୍ଳାରେ ମିଲ୍ଳରଙ୍କ ରାଜୁତି ଚାଲିଥିଲାବେଳେ ଏହା ଉପରେ ଜିଲ୍ଳା ପ୍ରଶାସନର କୌଣସି ନିୟନ୍ତ୍ରଣ ନାହିଁ ବୋଲି ଚାଷୀ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ।