ନୂଆଦିଲ୍ଲୀ: ପର୍ତ୍ତୁଗାଲରୁ ପ୍ରତ୍ୟର୍ପିତ ହୋଇଥିବା କୁଖ୍ୟାତ୍ ଗ୍ୟାଙ୍ଗ୍ଷ୍ଟର ଅବୁ ସାଲେମ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ କୈଫିୟତ ତଲବ କରିଛନ୍ତି । ସୂଚନାଯୋଗ୍ୟ ୧୯୯୩ ମୁୁମ୍ବାଇ ବିସ୍ଫୋରଣ ଘଟଣାରେ ସଂପୃକ୍ତ ଥିବା ଅବୁ ସାଲେମକୁ ୨୦୦୨ରେ ପର୍ତ୍ତୁଗାଲରେ ଗିରଫ କରାଯାଇଥିଲା । ତେବେ ପ୍ରତ୍ୟର୍ପଣ ସମୟରେ ଭାରତ ସରକାର ପର୍ତ୍ତୁଗାଲ ଅଦାଲତଙ୍କୁ କେତେକ ପ୍ରତିଶ୍ରୁତି ଦେଇଥିଲେ ।
ଅବୁ ସାଲେମକୁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ କିମ୍ବା ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ତାକୁ ଜେଲରେ ରଖାଯିବ ନାହିଁ ବୋଲି ସରକାର କହିଥିଲେ । ୨୦୦୫ରେ ଭାରତକୁ ପ୍ରତ୍ୟର୍ପିତ ହେବାପରେ ସାଲେମ୍କୁ ଦୁଇଟି ମାମଲାରେ ଦୋଷୀସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ପ୍ରତ୍ୟର୍ପଣ ସର୍ତ୍ତ ଅନୁଯାୟୀ ଭାରତ ସରକାର ତାକୁ ୨୫ ବର୍ଷରୁ ଅଧିକ ସମୟ ଜେଲ୍ରେ ରଖିପାରିବେ ନାହିଁ ବୋଲି ଦର୍ଶାଇ ସାଲେମ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାର ପର୍ତ୍ତୁଗାଲ ଅଦାଲତଙ୍କୁ ସେତେବେଳେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବେ କି ନାହିଁ, ତାହା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।