ଦୁବାଇ: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଗାମୀ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୨ର କାର୍ଯ୍ୟକ୍ରମ ଶୁକ୍ରବାର ଘୋଷଣା କରାଯାଇଛି । କାର୍ଯ୍ୟକ୍ରମ ଅନୁସାରେ ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଅକ୍ଟୋବର ୨୩ ତାରିଖରେ ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମ୍ସିଜି)ରେ ଭେଟିବ । ଗ୍ରୁପ୍-୨ରେ ଭାରତ ପରବର୍ତ୍ତୀ ସୁପର ୧୨ ମ୍ୟାଚ୍ରେ ଏକ କ୍ୱାଲିଫାୟର୍ ଟିମ୍ (ଗ୍ରୁପ୍-ଏ’ର ରନର୍ଅପ୍)କୁ ଅକ୍ଟୋବର ୨୭ ତାରିଖରେ ସିଡ୍ନୀରେ ଭେଟିବ । ଏହାପରେ ଅକ୍ଟୋବର ୩୦ରେ ପର୍ଥରେ ସାଉଥ୍ ଆଫ୍ରିକା, ନଭେମ୍ବର ୨ରେ ଆଡିଲେଡ୍ ଓଭାଲ୍ରେ ବାଂଲାଦେଶକୁ ଭେଟିବ । ସୁପର୍ ୧୨ରେ ଭାରତ ତା’ର ଅନ୍ତିମ ମ୍ୟାଚ୍ ଗ୍ରୁପ୍-ବି’ ବିଜେତା ବିପକ୍ଷରେ ଖେଳିବ । ଏହି ମ୍ୟାଚ୍ ନଭେମ୍ବର ୬ରେ ମେଲ୍ବର୍ଣ୍ଣରେ ଅନୁଷ୍ଠିତ ହେବ ।
ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୨ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବ । ଏହି ଚରଣରେ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ପରି ଟିମ୍ କ୍ୱାଲିଫାୟର୍ ଟିମ୍ ବିପକ୍ଷରେ ମ୍ୟାଚ୍ ଖେଳିବେ । ଏହା ପରେ ଅକ୍ଟୋବର ୨୨ରୁ ସୁପର୍ ୧୨ ପର୍ଯ୍ୟାୟ ଆରମ୍ଭ ହେବ । ସୁପର୍ ୧୨ ଗ୍ରୁପ୍-ଏ’ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ସମେତ ଗ୍ରୁପ୍-ଏ’ ବିଜେତା ଓ ଗ୍ରୁପ୍-ବି’ ଉପବିଜେତା ସ୍ଥାନ ପାଇଥିବା ବେଳେ ଗ୍ରୁପ୍-୨ରେ ଭାରତ, ପାକିସ୍ତାନ, ସାଉଥ୍ ଆଫ୍ରିକା, ବାଂଲାଦେଶ ସମେତ ଗ୍ରୁପ୍-ବି’ ବିଜେତା ଓ ଗ୍ରୁପ୍-ଏ’ ଉପବିଜେତା ରହିଛନ୍ତି । ସୁପର୧୨ ପର୍ଯ୍ୟାୟର ଆରମ୍ଭ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍ରୁ ହେବ । ଏହି ମ୍ୟାଚ୍ ଅକ୍ଟୋବର ୨୨ ତାରିଖରେ ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଖେଳାଯିବ ।
ସେମିଫାଇନାଲ୍ ମ୍ୟାଚ୍ ଦୁଇଟି ସିଡ୍ନୀ ଓ ଆଡିଲେଡ୍ରେ ଯଥାକ୍ରମେ ନଭେମ୍ବର ୯ ଓ ୧୦ ତାରିଖରେ ଖେଳାଯିବ । ପ୍ରଥମ ଥର ପାଇଁ ଆଡିଲେଡ୍ ଓଭାଲ୍ରେ କୌଣସି ବିଶ୍ୱକପ୍ ସେମିଫାଇନାଲ୍ ଅନୁଷ୍ଠିତ ହେବ । ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ରେ ନଭେମ୍ବର ୧୩ ତାରିଖରେ ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍ ଫ୍ଲଡ୍ଲାଇଟ୍ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ୍ର ପ୍ରଥମ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୧୬ ତାରିଖରେ ଜିଲଙ୍ଗର କାର୍ଡିନିଆ ପାର୍କରେ ୨୦୧୪ର ଚାମ୍ପିଅନ୍ ଶ୍ରୀଲଙ୍କା ଓ ନାମ୍ବିୟା ମଧ୍ୟରେ ଖେଳାଯିବ । ଅନ୍ୟ ଦୁଇଟି କ୍ୱାଲିଫାୟର୍ ଟିମ୍ ସହିତ ଶ୍ରୀଲଙ୍କା ଓ ନାମ୍ବିୟା ଗ୍ରୁପ୍-ଏ’ରେ ସ୍ଥାନ ପାଇଛନ୍ତି । ସେହିପରି ଗ୍ରୁପ୍-ବି’ରେ ଦୁଇ ଥରର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍, ସ୍କଟ୍ଲାଣ୍ଡ ଓ ଅନ୍ୟ ଦୁଇଟି କ୍ୱାଲିଫାୟର୍ ଟିମ୍ ରହିଛନ୍ତି । ଏହି ଗ୍ରୁପ୍ର ମ୍ୟାଚ୍ଗୁଡ଼ିକ ହୋବାର୍ଟରେ ଖେଳାଯିବ । ଉଭୟ ଗ୍ରୁପ୍ର ଶୀର୍ଷ ଦୁଇଟି ଟିମ୍ ସୁପର ୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବେ ।