ନୂଆଦିଲ୍ଲୀ: ସ୍ୱାମୀର ଦୀର୍ଘୀୟୁ ପାଇଁ କେତେ ଓଷା, ଉପାସ କରିଥାଏ ପତ୍ନୀ । କିନ୍ତୁ ସେହି ସ୍ୱାମୀ ଯଦି ପାଷାଣ ପାଲଟିବ, ସେବେ ପତ୍ନୀ ନିଜ ଦୁଃଖ କାହାକୁ ବା କହିବ । ସେହିପରି ଏକ ହୃଦୟ ବିଦାରକ ଦୃଶ୍ୟ ଉତ୍ତରପ୍ରଦେଶର ଆଗ୍ରାରୁ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ଅତି ନିର୍ମମ ଭାବେ ପିଟୁଥିବାର ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ଖୁଣ୍ଟରେ ବାନ୍ଧି ପିଟିବାରେ ଲାଗିଥିଲା । ମନ ନଭରିବାରୁ ଶେଷରେ ଗାଳି କରି ଚୁଟିକୁ ଧରି ଘୋଷାରି ନେଉଥିବାରୁ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ମହିଳା ଜଣକ ସ୍ୱାମୀର ମାରପିଟ୍ ସହି ନପାରି ଥାନାରେ ଅଭିଯୋଗ କରିଥିଲେ । ଏଥିରେ ରାଗିଯାଇ ସ୍ୱାମୀଜଣକ ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଖୁଣ୍ଟରେ ବାନ୍ଧି ପିଟି ଚାଲିଲା । ଭିଡିଓ ଭାଇରାଲ ପରେ ପୋଲିସ ଆକ୍ସନ ମୋଡକୁ ଆସି ଅଭିଯୁକ୍ତ ପତିକୁ ଗିରଫ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ପୋଲିସ ଆସିବା ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ସେଠାରୁ ଫେରାର ମାରିଥିଲା । ପୋଲିସ ଏବେ ଅଭିଯୁକ୍ତ ସ୍ୱାମୀଙ୍କୁ ଖୋଜିବାରେ ଲାଗିପଡିଛି । ପୋଲିସର ସୂଚନାନୁସାରେ, ଏହି ଘଟଣା ଆଗ୍ରା ଜିଲ୍ଲାର ସିକନ୍ଦର ପୋଲିସ ଷ୍ଟେସନ ଅଞ୍ଚଳର ଆରସେନା ଗ୍ରାମରୁ ଆସିଛି । ପୀଡିତା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ସ୍ୱାମୀ ଶ୍ୟାମ ବିହାରୀ ଏବଂ ମହିଳାଙ୍କ ଶାଶୂ ବାରଫା ଦେବୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଭାଇରାଲ ହୋଇଥିବା ଭିଡିଓ ଜୁଲାଇ ୧୪ର ବୋଲି କୁହାଯାଉଛି ।