ଭୁବନେଶ୍ବର: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଆଜି ମହିଳା ଥାନା ପୁଲିସ ସ୍ବାମୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଡୁମୁଡୁମା ହାଉସିଂବୋର୍ଡ କଲୋନିରେ ରହୁଥିବା ସେକ୍ ହୁସେନ୍(୩୩)। ପୁଲିସ ସୂଚନାନୁସାରେ ୧୧ ବର୍ଷର ଦାମ୍ପତ୍ୟ ଜୀବନ ଭିତରେ ହୁସେନ୍ର ୩ ସନ୍ତାନ ହୋଇଛନ୍ତି। ତଥାପି ଯୌତୁକ ବାବଦରେ ବାପଘରୁ ଟଙ୍କା ଆଣିବାକୁ ଦାବି କରି ହୁସେନ୍ ତାଙ୍କ ସ୍ତ୍ରୀଙ୍କୁ ମାରଧର କରୁଥିଲା। ପିଲାମାନଙ୍କ ମୁହଁକୁ ଚାହିଁ ପୀଡ଼ିତା ସବୁ ସହି ଯାଉଥିଲେ।
କିନ୍ତୁ ଗତ ୧୦ ତାରିଖ ରାତିରେ ସହିବାର ସବୁ ସୀମା ଅତିକ୍ରାନ୍ତ ହୋଇଯାଇଥିଲା। ଅଭିଯୁକ୍ତ ହୁସେନ୍, ତା’ ଭଉଣୀ ଓ ମାଆ ମିଶି ପୀଡ଼ିତାଙ୍କୁ ଗାଳିମନ୍ଦ କରିଥିଲେ। ଯୌତୁକ ଦାବି କରି ନିର୍ଯାତନା ଦେଇଥିଲେ। ଏମିତିକି ହୁସେନ୍ ଏକ ପଥରରେ ପୀଡ଼ିତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଜୀବନ ବିକଳରେ ମହିଳା ବାହାରକୁ ପଳାଇଆସିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏନେଇ ସେଦିନ ରାତିରେ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିଥିଲେ।