ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିରରେ କଟ୍ଟରପନ୍ଥୀମାନେ ଅତର୍କିତ ଆକ୍ରମଣ କରି ମନ୍ଦିର ପରିସରରେ ନିଆଁ ଲଗାଇବା ସହିତ ପୂଜା ପାଉଥିବା ଦେବାଦେବୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଛନ୍ତି । ସ୍ଥାନୀୟ ପୁଲିସ୍ ଦ୍ୱାରା ଭିଡ଼କୁ ଅକ୍ତିଆର୍ କରିବା ଉଦ୍ୟମ ବିଫଳ ହେବା ପରେ ପାକିସ୍ତାନୀ ରେଞ୍ଜର୍ଙ୍କ ସହାୟତା ନିଅଆଯାଇଛି । ପାକିସ୍ତାନର ସରକାରୀ ଦଳର ସାଂସଦ ଡାକ୍ତର ରମେଶ କୁମାର ବନ୍କୱାନୀ ପ୍ରଥମେ ଏହି ଘଟଣାର ଭିଡିଓ ନିଜ ଟ୍ୱିଟର୍ ଆକାଉଣ୍ଟ୍ରେ ଶେୟାର୍ କରିଥିଲେ । ସେ ଅସାମାଜିକ ତତ୍ତ୍ୱ ଦ୍ୱାରା ମନ୍ଦିର ତଥା ଅଳ୍ପ ସଂଖ୍ୟକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପୁଲିସ୍ ମୁତୟନ କରିବାକୁ ଅନୁରୋଧ କରିଥିଲେ ।
ସୂଚନାଯୋଗ୍ୟ ଯେ ବୁଧବାର ବିଳମ୍ବିତ ରାତିରେ ଲାହୋରଠାରୁ ୫୯୦ କିମି ଦୂର ରହିମ୍ ୟାର୍ ଖାନ୍ ଜିଲ୍ଲାସ୍ଥିିତ ଭୋଙ୍ଗ ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିରକୁ କଟ୍ଟରପନ୍ଥୀ ମୁସଲମାନ ଭିଡ଼ ଆକ୍ରମଣ କରି ଦେବାଦେବୀ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଥିଲେ । ଗତ ସପ୍ତାହରେ ଏକ ୮ ବର୍ଷୀୟ ବାଳକ ନିକଟସ୍ଥ ସେମିନାରୀ ନିକଟରେ ପରିସ୍ରା କରିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଅଞ୍ଚଳରେ ଦଶନ୍ଧି ଧରି ହିନ୍ଦୁ ଓ ମୁସଲ୍ମାନମାନେ ଶାନ୍ତିପୂର୍ଣ୍ଣ ଭାବେ ସହାବସ୍ଥାନ କରିଆସୁଥିଲେ । ଏହି ଘଟଣା ନେଇ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରି ଭାରତର କ୍ଷୋଭ ଜଣାଇଛନ୍ତି । ପାକିସ୍ତାରେ ହିନ୍ଦୁ ମନ୍ଦିର ଓ ଅଳ୍ପ ସଂଖ୍ୟକ ସୁରକ୍ଷିତ ନୁହଁନ୍ତି ଓ ଅଧିକାଂଶ ସମୟରେ କଟ୍ଟରପନ୍ଥୀଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଛନ୍ତି ବୋଲି ସେ ପାକ୍ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି।