ନୂଆଦିଲ୍ଲୀ: ହିଜାବ୍ ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି, ତାହାର ପ୍ରତିବାଦରେ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଛି । ଆସନ୍ତା ସପ୍ତାହରେ ଏହାର ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନା କହିଛନ୍ତି । ଚଳିତବର୍ଷ ଏପ୍ରିଲ ୨୬ରେ ସୁପ୍ରିମକୋର୍ଟ ଖଣ୍ଡପୀଠ ପ୍ରଥମେ ଶୁଣାଣି କରି ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯିବ ବୋଲି କହିଥିଲେ । ଇତିମଧ୍ୟରେ ତିନିମାସ ଅତିକ୍ରାନ୍ତ କରିଥିବାରୁ ପରବର୍ତ୍ତୀ ତାରଖ ଧାର୍ଯ୍ୟ କରିବାକୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ କର୍ଣ୍ଣାଟକ ହାଇକୋର୍ଟ ଚଳିତବର୍ଷ ମାର୍ଚ୍ଚ ୧୫ରେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ରାୟରେ କହିଥିଲେ ଯେ ଇସଲାମ ଧର୍ମରେ ହିଜାବର କୌଣସି ଗୁରୁତ୍ୱ ନାହିଁ । ତେଣୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ପ୍ରଚଳିତ ଡ୍ରେସକୋଡ୍ ମାନିବାକୁ ପଡିବ ।