ଗାନ୍ଧିନଗର: ଗୁଜୁରାଟରୁ ଚକିତ କରିବା ପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ଝିଅ ପ୍ରେମ ବିବାହ କରିବା ପରେ ତା’ର ବାପା ଏତେ ରାଗିଗଲେ ଯେ ଶେଷରେ ଜୀବିତ ଝିଅର ହିଁ ଅନ୍ତିମ ସତ୍କାର କରିବା ପାଇଁ ପଛାଇଲେ ନାହିଁ । ମାମଲା ରାଜ୍ୟର ଗରବାଡ଼ା ଗ୍ରାମର । ଘଟଣାଟି ମାସକ ତଳରେ । ମାସେ ତଳେ ଜଣେ ବ୍ରାହ୍ମଣ ଯୁବତୀ ଅନ୍ୟ ଏକ ଜାତିର ଯୁବକଙ୍କ ସହ ଘର ଛାଡ଼ି ପଳାଇ ବିବାହ କରିଥିଲେ । ଯାହାକି ଯୁବତୀଙ୍କ ବାପାଙ୍କୁ ଖୁବ୍ ଆଘାତ ଦେଇଥିଲା ଓ ସେ ରାଗରେ ଆସି ନିଜ ଝିଅର ଶୁଦ୍ଧି କର୍ମ ସାରି ଦେଇଛନ୍ତି ।
ଝିଅ ଘରୁ ଯିବା ପୂର୍ବରୁ ବାପାମାଆଙ୍କୁ ତା’ର ପ୍ରେମ ସଂପର୍କ ବିଷୟରେ ଟିକେ ବି ଜଣାନଥିଲା । ମାସେ ତଳେ ଝିଅ ଅଚାନକ ଘରୁ ପଳାଇବା ପରେ ପରିବାର ଲୋକ ଗାଁ ଲୋକଙ୍କ ସହାୟତାରେ ଝିଅକୁ ଖୋଜିବାକୁ ଲାଗିଲେ । ଝିଅ ନମଳିବାରୁ ସେମାନେ ପୁଲିସ୍ରେ ଏକ ନିଖୋଜ ମାମଲା ରୁଜୁ କରାଇଲେ । ପୁଲିସ୍ ଯେତେବେଳେ ଯୁବତୀଙ୍କୁ ଖୋଜିକି ପାଇଲା ତ ସେ ସେତେବେଳେ ଅନ୍ୟ ଜାତିର ଜଣେ ଯୁବକଙ୍କୁ ବିବାହ କରି ସାରିଥିଲା । ଝିଅକୁ ପାଇବା ପରେ ପରିବାର ଲୋକ ତାଙ୍କ ଘର ଘରକୁ ଫେରିଯିବାକୁ ବହୁବାର କହିଥିଲେ । ମାତ୍ର ଝିଅଟି ମାନିନଥିଲା । ସେ ନିଜ ଜିଦ୍ରେ ଅଟଳ ରହିଥିଲା । ନିଜ ପ୍ରେମିକ ସହ ଘରସଂସାର କରିବାର ନିଷ୍ପତ୍ତି ନେଇ ସାରିଥିବା ଜାଣିବା ପରେ ପରିବାର ଲୋକ ଫେରି ଆସିଥିଲେ । ତାପରେ ଝିଅର ବାପା ନିଜ ଝିଅ ମରିଯାଇଛି ବୋଲି ସମସ୍ତଙ୍କ ଆଗରେ କହିବା ସହ ଝିଅକୁ ଶୁଦ୍ଧି ହୋଇଥିଲେ । ବ୍ରାହ୍ମଣ ଭୋଜି ଦେବା ସହ ମୃତିକ୍ରିୟାର ସମସ୍ତ କାମ କରିଥିଲେ ।