ନୂଆଦିଲ୍ଲୀ : ବିଜ୍ଞାନର ଯେତେ ଅଗ୍ରଗତି ହେଲେ ବି ଲୋକଙ୍କ ମନରୁ ଅନ୍ଧବିଶ୍ବାସ ଦୂର ହୋଇପାରିନି। ଏ ପରିପ୍ରେକ୍ଷୀରେ କୋରିଆରେ ଲୋକେ ଭୂତପ୍ରେତ ତଡ଼ିବାକୁ ଘରେ ସାପସାଲି ନାମକ ଏକ ସ୍ବତନ୍ତ୍ର ପ୍ରଜାତିର କୁକୁର ପାଳିବା କୌତୂହଳୀ ମନେେହୁଏ। ବିଶେଷ କରି ଦକ୍ଷିଣ କୋରିଆରେ ଏହି ପ୍ରଜାତିର କୁକୁରଟିଏ ଘରେ ଥିଲେ, ଭୂତପ୍ରେତ ବା କୌଣସି ଅନିଷ୍ଟକାରୀ ଆତ୍ମା ଘର ଛାଡ଼ି ପଳାଏ ବୋଲି ଲୋକଙ୍କର ଧାରଣା। ଏ ପ୍ରଜାତିର ଅଣ୍ଡିରା କୁକୁର ପ୍ରାୟ ୫୧ ସେ.ମି. ଉଚ୍ଚର ହୋଇଥିବା ବେଳେ ମାଇ ପ୍ରଜାତିର ଉଚ୍ଚତା ୪୯ ସେ.ମି.। ସେମାନେ ସାଧାରଣତଃ କଳା, ସୁନେଲି, ନାରଙ୍ଗୀ, କସରା, ନୀଳ ବା ଧଳା ରଙ୍ଗର ଅଥବା ଏସବୁର ମିଶ୍ରିତ ରଙ୍ଗର ହୋଇଥା’ନ୍ତି।
ତଳମୁହାଁ କାନ ଓ ଉପରମୁହାଁ ଲାଞ୍ଜ ସାଙ୍ଗକୁ ତାାହାର ଲୋମଶ ଶରୀର ଦେଖିବାକୁ ଭାରୀ କୌତୁକିଆ। ପ୍ରାଚୀନ କାଳରୁ ବିଭିନ୍ନ ଲୋକକଥା, ଚିତ୍ରକଳା ଓ କବିତାରେ ସାପସାଲି ସ୍ଥାନ ପାଇ ଆସିଛି। ସ୍ଥାନୀୟ ଲୋକେ ତାହାକୁ ‘ଭୂତ ଶିକାରୀ’ ବା ତାହାର ଅସାଧାରଣ ଗୁଣ ପାଇଁ ‘ସୂର୍ଯ୍ୟାଲୋକ ଶ୍ବାନ’ ବା ତାହାର ଚେହେରା ପାଇଁ ‘ସିଂହ ଶ୍ବାନ’ ଭାବେ ସମ୍ବୋଧନ କରିଥା’ନ୍ତି। ଦ୍ବିତୀୟ ବିଶ୍ବ ଯୁଦ୍ଧ ଅବସରରେ ଜାପାନ ଦ୍ବାରା କୋରିଆ ଅଧିକୃତ ହେବା ସମୟରେ ଜାପାନୀ ସୈନିକମାନେ ବହୁସଂଖ୍ୟାରେ ଏହି କୁକୁରଙ୍କୁ ମାରି ସେମାନଙ୍କ ଚମଡ଼ାରେ ଶୀତ ପୋଷାକ କରାଇଥିଲେ। ତେବେ ସେହି ପ୍ରଜାତିର ସଂରକ୍ଷଣ ଉଦ୍ଦେଶ୍ୟରେ ଷାଠିଏ ଦଶକରେ କୋରିଆର କ୍ୟୋଙ୍ଗପୁକ ବିଶ୍ବବିଦ୍ୟାଳୟ ପକ୍ଷରୁ ୩୦ଟି ସାପସାଲି କୁକୁର ସଂଗୃହୀତ କରାଯାଇଥିଲା।
ଗତ ଅଷ୍ଟମ ଦଶକ ବେଳକୁ ଏହି ପ୍ରଜାତିର ମାତ୍ର ପାଞ୍ଚଟି କୁକୁର ରହିଥିଲେ। ୧୯୯୨ ମସିହାରେ ତାହାକୁ ଦେଶର ଏକ ଜାତୀୟ ସ୍ମାରକ ଭାବେ ଘୋଷଣା କରାଯାଇଛି। ଏଥି ସହିତ ଅତ୍ୟାଧୁନିକ ପ୍ରକ୍ରିୟାରେ ପ୍ରଜନନ କରି ଏବେ ସେହି ପ୍ରଜାତିର ହଜାର ହଜାର ସଂଖ୍ୟାରେ କୁକୁର ଉପଲବ୍ଧ। ନମ୍ର ସ୍ବଭାବ, ବିଶ୍ବସ୍ତ ପ୍ରକୃତି ଓ ବନ୍ଧୁତ୍ବପ୍ରବଣତା ଗୁଣ ଯୋଗୁଁ ଘରେ ଘରେ ସେମାନଙ୍କୁ ପୋଷାଜୀବର ମାନ୍ୟତା ମିଳିଛି। ଏପରିକି ୨୦୧୧ ବିଶ୍ବ ଖେଳକୁଦ ଚାମ୍ପିଅନ୍ସିପ୍ରେ ସାପସାଲି ଶ୍ବାନ ମାସ୍କଟ ଭାବେ ବ୍ୟବହୃତ ହୋଇଥିଲା।