ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନାର ନୂଆ ଭାରିଆଣ୍ଟ ପୁଣି ଚିନ୍ତା ବଢାଇ ଦେଇଛି । ବିଶ୍ୱର ଅଧିକାଂଶ ଦେଶରେ କରୋନାର ତାଣ୍ଡବ ଲୀଳା ଜାରି ରହିଥିବା ବେଳେ ଏବେ ଭାରତକୁ ମଧ୍ୟ ପ୍ରବେଶ କରୁଛି ଏହି ମହାମାରୀ । ତେବେ ଓଡିଶାରେ କରୋନାର ଭବିଷ୍ୟତକୁ ନେଇ ଏବେ ଏକ ବଡ ଖବର ସାମନାକୁ ଆସିଛି । ଖୁବଶୀଘ୍ର ଓଡିଶାରେ କରୋନାର ଚତୁର୍ଥ ଲହର ପାଦ ଥାପିପାରେ ବୋଲି ଅନୁମାନ କରାଯାଉଛି ।
ଆସନ୍ତା ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କରୋନା ମହାମାରୀର ଚତୁର୍ଥ ଲହର ଓଡିଶାରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ ମହାନ୍ତି । ତେବେ ମାର୍ଚ୍ଚ ମାସରେ ଚତୁର୍ଥ ଲହର ଓଡିଶାକୁ ପ୍ରଭାବିତ କରିପାରେ ବୋଲି ସେ ଆକଳନ କରିଛନ୍ତି । ୨୪ ଘଣ୍ଟାରେ ଚୀନରେ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଭାରତରେ ୧୭୩ଟି କେସ ରେକର୍ଡ ହୋଇଛି । ତେବେ ଏହି ସମୟରେ ଓଡିଶାରେ ମାତ୍ର ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ୨ ଜଣଙ୍କ ମଧ୍ୟରୁ ଜଣେ କୋରାପୁଟର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାରୁ ସଂକ୍ରମଣ ହୋଇଥିବା ସୂଚନା ମିଳିଛି ।
ତେବେ ଚୀନରେ ଏପର୍ଯ୍ୟନ୍ତ କରୋନା ମହାମାରୀ ପିକକୁ ଆସିନଥିବା ସୂଚନା ମିଳିଛି । କିନ୍ତୁ ଆସନ୍ତା ଜାନୁୟାରୀ ୧୩ରୁ ୧୫ ମଧ୍ୟରେ ମହାମାରୀ ପିକରେ ପହଞ୍ଚିପାରେ । ଏହି ସମୟରେ ଦୈନିକ ୭ରୁ ୧୦ ଲକ୍ଷ ଲୋକ କୋଭିଡ ସଂକ୍ରମିତ ହୋଇପାରନ୍ତି । ପିକ ବେଳେ ଚୀନରେ ଦୈନିକ ୨୫ ହଜାର ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ । ଏହି ହିସାବରେ ଭାରତରେ ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ ଲହର ପାଦ ରଖିପାରେ ବୋଲି ଅନୁମାନ କରାଯାଉଛି । ତେବେ ଚତୁର୍ଥ ଲହରରେ ଆକ୍ରାନ୍ତ କେସ ସାମାନ୍ୟ ବଢିପାରେ । ଏଥିପାଇଁ ଗହଳି ସ୍ଥାନକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ କହିଛନ୍ତି ଅଜିତ ମହାନ୍ତି ।
ଭାରତରେ ୯୦ ପ୍ରତିଶତ ଲୋକ ଦ୍ୱିତୀୟ ହୋଜ ଟୀକା ନେଇ ସାରିଥିବା ନେଇ ସୂଚନା ଦେଇଛନ୍ତି । ଏହାବ୍ୟତୀତ ୪୦% ଲୋକ ବୁଷ୍ଟର ଡୋଜ ମଧ୍ୟ ନେଇ ସାରିଛନ୍ତି । ତେଣୁ ନେଇ ନଥିବା ଲୋକମାନଙ୍କୁ ଯଥାଶୀଘ୍ର କୋଭିଡର ବୁଷ୍ଟର ଡୋଜ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି । ବୁଷ୍ଟର ଡୋଜ ପାଇଁ ଏବେ ନାଜାଲ ଭ୍ୟାକ୍ସିନ ମଧ୍ୟ ଉପଲବ୍ଧ ହୋଇସାରିଛି ।