ଏସ୍ଜେଏମ୍ସି ପାଇଁ ପ୍ରଥମ ଥର ଆରମ୍ଭ ହେଲା ନାମଲେଖା
ଭୁବନେଶ୍ୱର: ରାଜ୍ୟର ମେଡିକାଲ କଲେଜଗୁଡିକରେ ପ୍ରଥମ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆଜି ଶେଷ ହେବ । ତେବେ ଚଳିତବର୍ଷ ଏସ୍ଜେଏମ୍ସି ପାଇଁ ପ୍ରଥମ ଥର ନାମଲେଖା ହୋଇଥିବା ବେଳେ ଆଜି ହାଇଟେକ୍ କଲେଜ ପାଇଁ ହେବ ନାମଲେଖା । ଏଥର ହାଇଟେକ୍ ମେଡିକାଲର ବର୍ଦ୍ଧିତ ୫୦ ସିଟରେ ନାମ ଲେଖାଇବେ ଛାତ୍ରଛାତ୍ରୀ । ମୋଟ ୧ ହଜାର ୪୬୬ ସିଟ୍ ପାଇଁ ଏଥର ହେବ ନାମାଲେଖା । ପ୍ରଥମ ପର୍ଯ୍ୟାୟ ମେଡିକାଲ କାଉନସେଲିଂ ପ୍ରକ୍ରିୟା ଚାଲିଛି । ଫେବୃଆରୀ ୮ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ରାଉଣ୍ଡର ଶେଷ ନାମାଲେଖା ଆସନ୍ତାକାଲି ଶେଷ ହେବ । ତେବେ ପ୍ରଥମଥର ଲାଗି ଏସ୍ଜେଏମ୍ସି ପାଇଁ ୧୦୦ ସିଟରେ ଆଡ଼ମିଶନକୁ ଅନୁମତି ମିଳିଥିବାବେଳେ ଓଜେଇଇ ୮୫ଟି ସିଟ୍ ପାଇଁ ଆଡମିଶନ କରିଛି ।
ବଳକା ୧୫ ସିଟରେ ନିଟ୍ ମାଧ୍ୟମରେ ଅଲ ଇଣ୍ଡିଆ କୋଟାରେ ହେବ ନାମାଲେଖା । ତେବେ ଓଜେଇଇ ପକ୍ଷରୁ ରାଜ୍ୟର ୯ଟି ସରକାରୀ ଓ ୩ଟି ଘରୋଇ ମେଡିକାଲ କଲେଜର ମୋଟ ୧ ହଜାର ୩୧୨ ଏମ୍ବିବିଏସ୍ ଓ ୧୫୪ ବିଡିଏସ୍ ସିଟ ପାଇଁ ନାମଲେଖା ପ୍ରକ୍ରିୟା ଚାଲିଛି । ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ୧୪ ତାରିଖ ଦିନ ପ୍ରକାଶ ପାଇବ ବଳକା ସିଟ୍ ତାଲିକା । ବଳକା ସିଟତ ତାଲିକା ପ୍ରକାଶ ପାଇବା ପରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ଆସନ୍ତା ୧୫ ଓ ୧୬ ଦୁଇ ଦିନ ଛାତ୍ରଛାତ୍ରୀ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ତେବେ ପ୍ରଥମ ପର୍ଯ୍ୟାୟ କାଉନସିଲିଂ ପ୍ରକ୍ରିୟାରେ ମାତ୍ର ୮୦୭ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ।